ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଘୋଷଣା କରିଛି। ଏ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି।ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଓଡିଶାର ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷା ଦିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ନବୀନ ଚିଠିରେ ଦର୍ଶାଇଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟର ଭୌଗୋଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଲଢ଼େଇ କରୁଥିଲି। ବିଜେପି ନେତାମାନେ ସେତେବେଳେ ବାରମ୍ବାର କହିଆସିଛନ୍ତି ଯେ କୋଟିଆ ଓଡ଼ିଶାର ଅଟେ ଏବଂ “ଆନ୍ଧ୍ର ଫେରିଯାଅ” ବୋଲି ସ୍ଲୋଗାନ ମଧ୍ୟ ଦେଇଥିଲେ। ଏପରିକି ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ ଡବଲ୍ ଇଞ୍ଜିନ୍ ସରକାର କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରିବେ, ଓଡ଼ିଶାର ଭୌଗୋଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବେ । ସେହି ପ୍ରତିଶ୍ରୁତିଗୁଡ଼ିକ କ’ଣ ହେଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି।
ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଥିବା ସତ୍ତ୍ୱେ, ଆନ୍ଧ୍ରପ୍ରଦେଶ କୋଟିଆରେ ନିର୍ବାଚନ ଘୋଷଣା କରିବା ଅତ୍ୟନ୍ତ ଉଦ୍ବେଗଜନକ । କୋଟିଆ ଓଡ଼ିଶାର ଅଟେ ବୋଲି ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା କ’ଣ ହେଲା ବୋଲି ସେ କହିଛନ୍ତି। ଆନ୍ଧ୍ରର ନିର୍ବାଚନ ଘୋଷଣା ପରେ ମଧ୍ୟ ସରକାର କାହିଁକି ନୀରବ ଅଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
କୋଟିଆ ସମସ୍ୟାର ସମାଧାନ ପାଇଁ ୨୦୨୫ ମସିହାରେ ୧୬ ସଦସ୍ୟ ବିଶିଷ୍ଟ କୋଟିଆ କମିଟି ଗଠନ କରାଯାଇଥିଲା। କୋଟିଆ କମିଟିର ସୁପାରିଶ ଓ ବିବରଣୀ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବା ଏବଂ କୋଟିଆ ଉପରେ ନିଜର ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ନବୀନ ଦାବି କରିଛନ୍ତି।
