ଟ୍ରେନରେ ଯାତ୍ରା କରିବା ସମୟରେ ମୋବାଇଲରେ ଜୋରରେ ଗୀତ ବଜାଉଛନ୍ତି କିମ୍ବା ଜୋର ସାଉଣ୍ଡ ଦେଇ ରିଲ୍ସ ଦେଖୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଏପରି କାର୍ଯ୍ୟ ଅନ୍ୟ ଯାତ୍ରୀଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବାରୁ ରେଳବାଇ ପକ୍ଷରୁ ନିୟମ କଡ଼ାକଡ଼ି କରାଯାଇଛି । ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଜେଲ୍ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି ।
ଖବର ମୁତାବକ, ସାଉଥର୍ଣ୍ଣ ରେଲୱେ ପକ୍ଷରୁ ରେଳ ଆଇନର ଧାରା ୧୪୫(୨) ଅନୁଯାୟୀ ଏହି ନିୟମକୁ କଡ଼ାକଡ଼ି କରାଯାଇଛି । ଟ୍ରେନ୍ ଭିତରେ ଜୋର୍ ସାଉଣ୍ଡ ଦେଇ ଗୀତ ବଜାଇବା କିମ୍ବା ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଇବା ଭଳି ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଟ୍ରେନରେ ଜୋର୍ ସାଉଣ୍ଡ ଦେଇ ମୋବାଇଲରେ ଗୀତ, ଭିଡିଓ କିମ୍ବା ରିଲ୍ସ ଚଲାଇ ଅନ୍ୟ ଯାତ୍ରୀଙ୍କୁ ହଇରାଣ କଲେ ପ୍ରଥମ ଥର ୧,୦୦୦ ଟଙ୍କା ଜରିମାନା ହୋଇପାରେ । ଏଥିସହ ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇପାରେ ଏବଂ ଟିକେଟ୍ ଜବତ କରାଯାଇପାରେ ।
ରେଳ କର୍ମଚାରୀଙ୍କ ଚେତାବନୀ ସତ୍ତ୍ୱେ ଯଦି କୌଣସି ଯାତ୍ରୀ ଅନ୍ୟମାନଙ୍କୁ ହଇରାଣ କରନ୍ତି, ତେବେ ରେଳ ଆଇନର ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ୬ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ । ଟିଟିଇଙ୍କ ସମେତ ଅଧିକୃତ ରେଳ କର୍ମଚାରୀଙ୍କୁ ଏ ନେଇ କାର୍ଯ୍ୟାନୁଷ୍ଠାନର ଅଧିକାର ଦିଆଯାଇଛି । ଯାତ୍ରା ସମୟରେ ନିଜ ସୁବିଧା ସହ ସହଯାତ୍ରୀଙ୍କ ଶାନ୍ତି ଓ ସୁବିଧା ପ୍ରତି ଧ୍ୟାନ ଦେବାକୁ ରେଳବାଇ ଅନୁରୋଧ କରିଛି ।
ଯାତ୍ରୀଙ୍କ ପାଇଁ ରେଳବାଇର ପରାମର୍ଶ :
– ଗୀତ ଶୁଣିବା କିମ୍ବା ଭିଡିଓ ଦେଖିବା ବେଳେ ଇୟରଫୋନ୍ ବ୍ୟବହାର କରନ୍ତୁ।
– ଟ୍ରେନ୍ରେ ଫୋନରେ ଧୀର ସ୍ୱରରେ କଥା ହୁଅନ୍ତୁ ।
– ଅଯଥା ଲମ୍ବା କଥାବାର୍ତ୍ତା ଓ ଉଚ୍ଚ ସ୍ୱରର ରିଙ୍ଗଟୋନରୁ ଦୂରେଇ ରୁହନ୍ତୁ ।
– ଅନ୍ୟ ଯାତ୍ରୀଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଲେ ରେଳବାଇର ରେଳ ମଦଦ ଆପରେ ଅଭିଯୋଗ କରନ୍ତୁ ।
