କୁମାର ପୂର୍ଣ୍ଣିମା ଦିନ ଧାର୍ଯ୍ୟକୁ ନେଇ ପୁଣି ଦ୍ୱନ୍ଦ୍ୱ । ଶ୍ରୀମନ୍ଦିର ଓ ମୁକ୍ତିମଣ୍ଡପ ଅନୁମୋଦିତ ପାଞ୍ଜିରେ ୨୫ ତାରିଖ କୁମାର ଉତ୍ସବ, ଚନ୍ଦ୍ରପୂଜା ଓ ଗଜଲକ୍ଷ୍ମୀ ପୂଜା ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଏହା ପରଦିନ ଅର୍ଥାତ୍ ୨୬ ତାରିଖ କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ ରହିଛି । ଦୁଇଦିନ ପୂର୍ଣ୍ଣମୀ ପାଳନ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କୁମାରୀମାନେ କେଉଁଦିନ ଆଞ୍ଜୁଳି ଟେକିବେ, ପୂର୍ଣ୍ଣମୀର ଚନ୍ଦ୍ରପୂଜା କରିବେ ଓ କାର୍ତ୍ତିକ ବ୍ରତଧାରୀ କେଉଁଦିନ ସଂକଳ୍ପ କରି ବ୍ରତ ଆରମ୍ଭ କରିବେ ତାହା ଦ୍ୱନ୍ଦ୍ୱର ବିଷୟ ହୋଇଛି ।
ଏନେଇ ବରିଷ୍ଠ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି, ପାଞ୍ଜିରେ ପୂର୍ଣ୍ଣିମା ପାଳନକୁ ନେଇ ଦୁଇଟି ତାରିଖ ରହିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ଅକ୍ଟୋବର ୨୫ ତାରିଖରେ କୁମାର ପୂର୍ଣ୍ଣିମା ରହିଛି । ଏହିଦିନ ପୂର୍ବାହ୍ଣ ୧୧ଟା ୫୬ ପରଠାରୁ ପୂର୍ଣ୍ଣିମା ତିଥି ପ୍ରବେଶ କରୁଛି । ତେଣୁ କୁମାରୀମାନେ ଆଞ୍ଜୁଳି ଟେକା ପ୍ରତ୍ୟୁଷରୁ କରିବେ । ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ଉଦୟ ହେବେ । ତେଣୁ ଚନ୍ଦ୍ରପୂଜା କରିବା ବିଧେୟ ।
ସେହିପରି ଗଜଲକ୍ଷ୍ମୀ ପୂଜା ମଧ୍ୟ ଅକ୍ଟୋବର ୨୫ ତାରିଖରେ ହିଁ ପାଳନ ହେବ । ପ୍ରଦୋଷ ଓ ମଧ୍ୟରାତ୍ରି ଯୋଗରେ କୁମାର ପୂର୍ଣ୍ଣମୀ ବା କୋଜାଗର ବ୍ରତ ପାଳନ ହୁଏ । ପୂର୍ଣ୍ଣମୀର ଚନ୍ଦ୍ର ଯେଉଁଦିନ ଉଦୟ ହୁଅନ୍ତି ସେହିଦିନ ଚନ୍ଦ୍ରପୂଜା, ଚନ୍ଦ୍ର ଉପବାସ କରାଯାଏ । ଶ୍ରୀମନ୍ଦିରରେ କିନ୍ତୁ ଉଦୟ ପର୍ବ ଅନୁସାରେ ଅକ୍ଟୋବର ୨୬ ତାରିଖରେ ପାଳିତ ହେବ କୁମାର ପୂର୍ଣ୍ଣିମା । ୨୬ ତାରିଖ ଦିନ ୯ଟା ୪୧ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ରହିଛି । ୨୫ କିମ୍ବା ୨୬ ତାରିଖ ଦିନ ପୂର୍ଣ୍ଣିମା ତିଥି ରହୁଥିବା ସମୟ ଭିତରେ କାର୍ତ୍ତିକ ବ୍ରତାଚାରୀମାନେ ସଂକଳ୍ପ କରି ବ୍ରତ ଆରମ୍ଭ କରିପାରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
