ପୂର୍ବତନ ଭାରତୀୟ ସ୍ପିନର୍ ପ୍ରଜ୍ଞାନ ଓଝାଙ୍କୁ ପୁରୁଷ କ୍ରିକେଟ୍ ଚୟନ କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ବିସିସିଆଇ ଆଜି ଅଫିସିଆଲ ଭାବେ ଘୋଷଣା କରିଛି । ଏହାଛଡା ପୂର୍ବତନ ଅଫ୍ ସ୍ପିନର୍ ରମେଶ ପାୱାରଙ୍କୁ କମିଟିରେ ସାମିଲ କରାଯାଇଛି । ପ୍ରଜ୍ଞାନଙ୍କ ସହିତ ଏହି ଟିମରେ ଶିବ ସୁନ୍ଦର ଦାସ, ଆରପି ସିଂହ, ଅଜୟ ରାତ୍ରା, ରମେଶ ପାୱାର ରହିଛନ୍ତି ।
ଓଡ଼ିଶା ସହ ସମ୍ପର୍କ ରଖିଥିବା ପ୍ରଜ୍ଞାନ ଓଝାଙ୍କୁ ଏଭଳି ଗୁରୁଦାୟିତ୍ୱ ମିଳିବା ରାଜ୍ୟର କ୍ରିକେଟ୍ ପ୍ରେମୀଙ୍କ ପାଇଁ ମଧ୍ୟ ଏକ ଖୁସି ଖବର । ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିବା ପ୍ରଜ୍ଞାନ ଭାରତୀୟ ଦଳରେ ଜଣେ ସଫଳ ବାମହାତୀ ସ୍ପିନର୍ ଭାବେ ପରିଚୟ ସୃଷ୍ଟି କରିଥିଲେ ।
ଭାରତ ପାଇଁ ୨୪ଟି ଟେଷ୍ଟ, ୧୮ଟି ଦିନିକିଆ ଓ ୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ରହିଛି ୧୧୩ଟି ୱିକେଟ୍ । ଘରୋଇ କ୍ରିକେଟ୍ ସହ ଆଇପିଏଲରେ ମଧ୍ୟ ଖେଳିଛନ୍ତି ।
୨୦୧୩ ମସିହାରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ ମ୍ୟାଚରେ ପ୍ରଜ୍ଞାନଙ୍କ ପ୍ରଦର୍ଶନ ଆଜି ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ମନରେ ତାଜା ରହିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସେହି ମ୍ୟାଚରେ ସେ ମୋଟ ୧୦ଟି ୱିକେଟ୍ ନେଇ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ ।
ରମେଶ ପାୱାର ମଧ୍ୟ ଭାରତୀୟ କ୍ରିକେଟର ଜଣେ ଅଭିଜ୍ଞ ଚେହେରା । ସେ ଭାରତ ପକ୍ଷରୁ ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଖେଳାଳି ଜୀବନ ପରେ ସେ ପ୍ରଶିକ୍ଷଣ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବିଶେଷକରି ଭାରତୀୟ ମହିଳା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ତାଙ୍କର ଅଭିଜ୍ଞତା ରହିଛି ।
ନୂଆ ଚୟନ ନେତୃତ୍ୱ ସମ୍ମୁଖରେ ରହିବ ଏକାଧିକ ଚ୍ୟାଲେଞ୍ଜ । ଟେଷ୍ଟ, ଦିନିକିଆ ଓ ଟି-୨୦ ପାଇଁ ସନ୍ତୁଳିତ ଦଳ ଗଠନ, ଅଭିଜ୍ଞ ଖେଳାଳିଙ୍କ ସହ ନୂଆ ପ୍ରତିଭାଙ୍କୁ ସୁଯୋଗ, ଖେଳାଳିଙ୍କ ଫର୍ମ ଓ ଫିଟ୍ ନେସ୍ କୁ ଗୁରୁତ୍ୱ ଦେବା ଭଳି ବିଷୟ ଉପରେ ନଜର ରହିବ ।
ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପରିବର୍ତ୍ତନ ହୋଇଛି । ୨୦୨୫ ସେପ୍ଟେମ୍ବରରେ ଚୟନ କମିଟିରେ ସାମିଲ ହୋଇଥିବା ପ୍ରଜ୍ଞାନ ଓଝା ପରେ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ । ଏବେ ତାଙ୍କୁ ସ୍ଥାୟୀ ଭାବେ ଏହି ଦାୟିତ୍ୱ ମିଳିଛି ।
