ସଂଚାର ବ୍ୟୁରୋ: ରାଜ୍ୟରେ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ଗାଁ । ଏହାସହ ୩୧ଟି ସହରାଞ୍ଚଳର ୪୨୬ ୱାର୍ଡ ପ୍ରଭାବିତ ହୋଇଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ବାତ୍ୟା ଓ ବନ୍ୟା ଯୋଗୁଁ ୧ ଲକ୍ଷ ୨୫ ହଜାର ୯୧ ହେକ୍ଟର ଜମିରେ ଫସଲ କ୍ଷତି ହୋଇଛି । ୫ ହଜାର ୮୩୯ ଘର ଭାଙ୍ଗିଛି । ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଭିତ୍ତିଭୂମିର କ୍ଷୟକ୍ଷତି ହୋଇଛି । ନଭେମ୍ବର ୨ ତାରିଖ ସୁଦ୍ଧା ଭିତ୍ତିଭୂମି କ୍ଷୟକ୍ଷତି ରିପୋର୍ଟ ଦେବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ନଭେମ୍ବର ୨ ସୁଦ୍ଧା ଜିଲ୍ଲାରେ ଫସଲ କ୍ଷତି ସହ ଘରଭଙ୍ଗା ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବୁଢ଼ାବଳଙ୍ଗ ଓ କାଂସବାସ ନଦୀରେ ପାଣିରେ ବର୍ତ୍ତମାନ ଅନେକ ଅଂଚଳ ଜଳବନ୍ଦୀ ହୋଇ ରହିଛି । ଉଭୟ ନଦୀର ପାଣି ସଂଧ୍ୟା ସୁଦ୍ଧା କମିଯିବ ଏବଂ ବାଲେଶ୍ୱର ଜିଲ୍ଲାର ରେମୁଣା, ସଦର ଓ ସୋର ବ୍ଲକରେ ସୁଧାର ଆସିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କାଲି ଯଦି ପାଗ ଅନୁକୂଳ ରୁହେ ତେବେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରେ ବନ୍ୟାଞ୍ଚଳ ପରିଦର୍ଶନ କରିବେ ।