ସଂଚାର ବ୍ୟୁରୋ: ମାଡ଼ି ଆସୁଛି ଭୟଙ୍କର ବାତ୍ୟା ‘ଦାନା’ । ସେଥିପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରିବା ନେଇ ନିସ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହି ଜଟିଳ ସ୍ଥିତିରେ ସମସ୍ତଙ୍କୁ ଦୃଢତାର ସହ ସାମ୍ନା କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସଭାପତି ମନ ମୋହନ ସାମଲ । ବାତ୍ୟା ପାଇଁ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ । ଲୋକଙ୍କ ସେବା ପାଇଁ ସମସ୍ତ ବିଧାୟକ, ସାଂସଦ, କାର୍ଯ୍ୟକର୍ତା ଆଗେଇ ଆସିବେ । ଦଳ, ମତ ନିର୍ବିଶେଷରେ ସମସ୍ତେ ଏହି ବିପର୍ଯ୍ୟୟକୁ ମୁକାବିଲା କରିବାକୁ ଆଗେଇ ଆସନ୍ତୁ ବୋଲି ଅନୁରୋଧ କଲେ ରାଜ୍ୟ ସଭାପତି।
କେବଳ ସେତିକି ନୁହେଁ, ବିଜେପି ଏକ ହେଲ୍ପ ଲାଇନ ନମ୍ୱର ମଧ୍ୟ ଜାରି କରିଛି । ଯଦି କୌଣସି ବ୍ୟକ୍ତି ବାତ୍ୟା ସମୟରେ କିମ୍ୱା ବାତ୍ୟା ହେବାର ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥାନ୍ତି, ତେବେ ଏହି ହେଲ୍ପ ଲାଇନ ନମ୍ୱରରେ କଲ୍ କରି ସାହାଯ୍ୟ ପାଇ ପାରିବେ ବୋଲି ଏକ ସାମ୍ୱାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।