ସଂଚାର ବ୍ୟୁରୋ: ଅଭଦ୍ରାମୀର ସବୁ ସୀମା ଲଙ୍ଘିଛି କମିଶନରେଟ୍ ପୁଲିସ୍ର ଭରତପୁର ଥାନା ପୁଲିସ୍। ବିଳମ୍ୱିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାତି ତମାମ ଅକଥନୀୟ ନିର୍ଯାତନା ଦେଇଛି। ଖାଲି ନିର୍ଯାତନା ଦେଇନି ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ସହିତ ପ୍ରାଇଭେଟ୍ ପାଟ୍କୁ ଗୋଇଠା ମାରିଛି। ତାହା ପୁଣି ପୁରୁଷ ପୁଲିସ୍। ଏମ୍ସରେ ଚିକିତ୍ସିତ ହେଉଥିବା ବାନ୍ଧବୀ ଆଜି ଗଣମାଧ୍ୟମରେ ବଖାଣିଛି ଅନ୍ଧାର ରାତିର କଳା କାହାଣୀ।
ପୀଡ଼ିତା କହିଛନ୍ତି, ରାତି ଗୋଟାଏ ବେଳେ ନିଜର ରେସ୍ତୁରାଣ୍ଟ ବନ୍ଦ କରି ଘରକୁ ଫେରୁଥିଲୁ। ତେବେ ଅଧା ରାସ୍ତାରେ କିଛି ବ୍ୟକ୍ତି ଗାଡ଼ି ଅଟକାଇ ଯୁକ୍ତିତର୍କ କରିଥିଲେ। ସେମାନଙ୍କ କବଳରୁ ବାହାରି ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲୁ। ସେତେବେଳେ ଥାନା ଅଭ୍ୟର୍ଥନା କକ୍ଷରେ ବସିଥିଲେ ଜଣେ ମହିଳା କନ୍ଷ୍ଟେବଳ। ସେ ସେତେବେଳେ ୟୁନିଫର୍ମରେ ନଥିଲେ, ନାଇଟ୍ ପିନ୍ଧି ବସି ଥିଲେ। ତାଙ୍କ ଛଡ଼ା ଆଉ କୌଣସି ପୁଲିସ୍ କର୍ମଚାରୀ ନଥିଲେ। ତେଣୁ ସମ୍ପୃକ୍ତ ମହିଳା କଷ୍ଟେବଳଙ୍କୁ FIR ଲଜ୍ କରିବା ପାଇଁ ଅନୁରୋଧ କରିଥିଲି। ହେଲେ ସେ FIR ଲଜ୍ କରିବା ବଦଳରେ ଗାଳି ଦେଇଥିଲେ ବୋଲି ପୀଡ଼ିତା କହିଛନ୍ତି।