ଅକ୍ଟୋବର ୧୨ ତାରିଖରେ ନବରାତ୍ରିର ଦ୍ୱିତୀୟ ଦିନ ମା’ ଦୁର୍ଗାଙ୍କ ବ୍ରହ୍ମଚାରିଣୀ ସ୍ୱରୂପଙ୍କୁ ପୂଜା କରାଯିବ । ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ ବ୍ରହ୍ମଚାରିଣୀ ତପସ୍ୟା, ତ୍ୟାଗ, ସଂଯମ ଓ ଦୃଢ଼ ସଂକଳ୍ପର ପ୍ରତୀକ । କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ରହିବା କାରଣରୁ ତାଙ୍କୁ ବ୍ରହ୍ମଚାରିଣୀ କୁହାଯାଏ । ତାଙ୍କ ଆରାଧନା ଦ୍ୱାରା ସାଧକଙ୍କୁ ଆତ୍ମବଳ ଓ ଧୈର୍ଯ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବିଶେଷକରି ଛାତ୍ରଛାତ୍ରୀ ଏବଂ ସାଧନାରେ ନିମଗ୍ନ ଥିବା ବ୍ୟକ୍ତିଙ୍କ ପାଇଁ ଦେବୀଙ୍କ ପୂଜା ଅତ୍ୟନ୍ତ ଫଳପ୍ରଦ ବୋଲି ମାନ୍ୟତା ରହିଛି । ଯେଉଁମାନଙ୍କ ଜାତକରେ ଚନ୍ଦ୍ର ଦୁର୍ବଳ ସ୍ଥିତିରେ ରହିଛନ୍ତି, ସେମାନେ ମଧ୍ୟ ମା’ ବ୍ରହ୍ମଚାରିଣୀଙ୍କ ଉପାସନା କରିବା ଉଚିତ ବୋଲି କୁହାଯାଏ ।
ମା’ ବ୍ରହ୍ମଚାରିଣୀଙ୍କ ପୂଜା ବିଧି ଓ ମନ୍ତ୍ର:
ନବରାତ୍ରିର ଦ୍ୱିତୀୟ ଦିନ ସକାଳେ ସ୍ନାନ କରିବା ପରେ ହଳଦିଆ କିମ୍ବା ଧଳା ରଙ୍ଗର ବସ୍ତ୍ର ପରିଧାନ କରି ମା’ ବ୍ରହ୍ମଚାରିଣୀଙ୍କ ପୂଜା କରନ୍ତୁ । ପ୍ରଥମେ ଦେବୀଙ୍କ ସମ୍ମୁଖରେ ଘିଅ ଦୀପ ପ୍ରଜ୍ୱଳନ କରନ୍ତୁ । ଏହାପରେ ମା’ଙ୍କୁ କୁଙ୍କୁମ, ଚନ୍ଦନ, ରୋଳି, ଅକ୍ଷତ, ହଳଦୀ ଏବଂ ସୁଗନ୍ଧିତ ଅତର ଅର୍ପଣ କରନ୍ତୁ । ଦେବୀଙ୍କୁ ଧଳା ଫୁଲ, ମିଶ୍ରି କିମ୍ବା ପଞ୍ଚାମୃତ ଭୋଗ ଲଗାନ୍ତୁ ।
ଏହାପରେ ମା’ ବ୍ରହ୍ମଚାରିଣୀଙ୍କ ମନ୍ତ୍ର ଜପ କରନ୍ତୁ ।
ମା’ ବ୍ରହ୍ମଚାରିଣୀଙ୍କ ମନ୍ତ୍ର: “ଓଁ ଐଂ ନମଃ”
ଚନ୍ଦ୍ରଙ୍କୁ ଶକ୍ତିଶାଳୀ କରିବା ପାଇଁ ଧଳା ଫୁଲ ଏବଂ ଧଳା ରଙ୍ଗର ବସ୍ତୁ ଅର୍ପଣ କରି ନିମ୍ନଲିଖିତ ମନ୍ତ୍ରକୁ ଅତି କମରେ ତିନି ମାଳା ଜପ କରିବାର ବିଧାନ ରହିଛି ।
ଚନ୍ଦ୍ର ମନ୍ତ୍ର: “ଓଁ ଶ୍ରାଂ ଶ୍ରୀଂ ଶ୍ରୌଂ ସଃ ଚନ୍ଦ୍ରମସେ ନମଃ”
ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଜଳଭରା ନଡ଼ିଆକୁ ନିଜ କୋଳରେ ରଖନ୍ତୁ । ଏହାପରେ “ଓଁ ଦୁଂ ଦୁର୍ଗାୟୈ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହା ପରେ ନଡ଼ିଆକୁ ପ୍ରବାହିତ ଜଳରେ ବିସର୍ଜନ କରିବାର ବିଧାନ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଉପାୟ ଦ୍ୱାରା ଦାରିଦ୍ର୍ୟ ଦୂର ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରାଯାଏ ।
ପୌରାଣିକ କଥା ଅନୁଯାୟୀ, ମା’ ବ୍ରହ୍ମଚାରିଣୀଙ୍କ ଜନ୍ମ ପର୍ବତରାଜ ହିମାଳୟ ଏବଂ ଦେବୀ ମୈନାଙ୍କ ଘରେ ହୋଇଥିଲା । ପର୍ବତରାଜଙ୍କ କନ୍ୟା ହୋଇଥିବାରୁ ତାଙ୍କ ନାମ ପାର୍ବତୀ ରଖାଯାଇଥିଲା । ବାଲ୍ୟକାଳରେ ଋଷି ନାରଦଙ୍କଠାରୁ ଭଗବାନ ଶିବଙ୍କ ବିଷୟରେ କଥା ଶୁଣିବା ପରେ ମା’ ପାର୍ବତୀ ଶିବଙ୍କୁ ସ୍ୱାମୀ ରୂପେ ପ୍ରାପ୍ତ କରିବାକୁ ସଂକଳ୍ପ ନେଇଥିଲେ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସେ କଠୋର ତପସ୍ୟା ଆରମ୍ଭ କରିଥିଲେ । ପ୍ରଥମେ ସେ ଅତି ସୀମିତ ଖାଦ୍ୟ ଗ୍ରହଣ କରୁଥିଲେ । ପରବର୍ତ୍ତୀ ସମୟରେ କେବଳ ଫଳ ଓ ପତ୍ର ଖାଇ ଜୀବନ ନିର୍ବାହ କରିଥିଲେ ।
ଶେଷରେ ସେ ଖାଦ୍ୟ ଓ ଜଳ ମଧ୍ୟ ତ୍ୟାଗ କରି କଠୋର ସାଧନାରେ ଲୀନ ରହିଥିଲେ । ତାଙ୍କର ଅସାଧାରଣ ତପସ୍ୟା ଏବଂ ଅଟଳ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ଏବଂ ପତ୍ନୀ ରୂପେ ଗ୍ରହଣ କରିଥିଲେ । ତାଙ୍କର ଏହି ତପସ୍ୱିନୀ ସ୍ୱରୂପ କାରଣରୁ ସେ ମା’ ବ୍ରହ୍ମଚାରିଣୀ ଭାବେ ପୂଜିତ ହେଉଛନ୍ତି। ମା’ ବ୍ରହ୍ମଚାରିଣୀଙ୍କ ଆରାଧନା ଦ୍ୱାରା ଜୀବନରେ ଧୈର୍ଯ୍ୟ, ଆତ୍ମବିଶ୍ୱାସ, ସଂଯମ ଓ ଦୃଢ଼ ସଂକଳ୍ପ ବୃଦ୍ଧି ପାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି ।

