୬ ରାଜ୍ୟରେ ରାଜ୍ୟପାଳ ନିଯୁକ୍ତି ଓ ଅଦଳବଦଳ । ବଦଳିଲେ ଓଡିଶାର ରାଜ୍ୟପାଳ । ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତି ଓ ଅଦଳବଦଳ କରିଥିବା କୁହାଯାଇଛି।
ସୂଚନା ଅନୁଯାୟୀ, ସିକ୍କିମର ବର୍ତ୍ତମାନ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। କେରଳର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି । ସେହିପରି ଡକ୍ଟର ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡକ୍ଟର ଧଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ସୂଚନା ରହିଛି ।
ଏହି ନିଯୁକ୍ତି ତାଲିକାରେ ଓଡ଼ିଶା ପାଇଁ ବ୍ରଜ ମୋହନ ରାମଙ୍କ ନାମ ରହିଛି । ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ପରେ ସେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ଥିବା ଡକ୍ଟର ହରି ବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜ ମୋହନ ରାମ ଦାୟିତ୍ୱ ଗ୍ରହଣ କରିବେ।
ବ୍ରଜ ମୋହନ ରାମ ଝାଡ଼ଖଣ୍ଡ ରାଜନୀତିର ଜଣେ ପରିଚିତ ଚେହେରା । ୧୯୫୮ ଜାନୁଆରୀ ୧ ତାରିଖରେ ଚାନ୍ଦୱାରେ ତାଙ୍କର ଜନ୍ମ। ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି। ରାଜନୀତି ସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ସେ ସକ୍ରିୟ ରହିଆସିଛନ୍ତି । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ସେ ବିହାର ବିଧାନସଭାର ସଦସ୍ୟ ଥିଲେ । ଝାଡ଼ଖଣ୍ଡ ଅଲଗା ରାଜ୍ୟ ହେବା ପୂର୍ବରୁ ସେ ବିହାର ରାଜନୀତିରେ ସକ୍ରିୟ ଥିଲେ ।
ପରେ ବିଜେପି ଟିକେଟରେ ପଲାମୁ ଲୋକସଭା ଆସନରୁ ୧୯୯୬, ୧୯୯୮ ଏବଂ ୧୯୯୯ରେ ଲଗାତାର ତିନିଥର ସାଂସଦ ନିର୍ବାଚିତ ହୋଇଥିଲେ । ସଂସଦରେ ଥିବା ସମୟରେ ଶକ୍ତି, କୋଇଲା, ରେଳବାଇ ଏବଂ ଅନ୍ୟାନ୍ୟ ସଂସଦୀୟ କମିଟିରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବ୍ରଜ ମୋହନ ରାମ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ସହ ମଧ୍ୟ ଜଡ଼ିତ ଥିଲେ । ଝାଡ଼ଖଣ୍ଡରେ ମୋର୍ଚ୍ଚାର ପ୍ରଦେଶ ପ୍ରଭାରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି ।
ଶିକ୍ଷାର ପ୍ରସାର, ସାମାଜିକ ସଂଗଠନ ଏବଂ ଅନୁସୂଚିତ ଜାତିଙ୍କ କଲ୍ୟାଣ ସମ୍ପର୍କିତ କାର୍ଯ୍ୟରେ ତାଙ୍କର ସମ୍ପୃକ୍ତି ରହିଛି । ଦୀର୍ଘ ରାଜନୈତିକ ଅଭିଜ୍ଞତା ଥିବା ବ୍ରଜ ମୋହନ ରାମ ଏବେ ଓଡ଼ିଶାର ସାମ୍ବିଧାନିକ ମୁଖ୍ୟ ଭାବେ ଦାୟିତ୍ୱ ନେବେ । ଶପଥ ଗ୍ରହଣ ପରେ ତାଙ୍କର ନୂଆ କାର୍ଯ୍ୟକାଳ ଆରମ୍ଭ ହେବ।

