ଭୁବନେଶ୍ଵର: ଓଡ଼ିଶା ବିଜେପି ସଙ୍ଗଠନରେ ପୁଣି ଥରେ ଫୁଙ୍କା ହେଲାଣି ‘ଜୋଶ୍’ । କାରଣ ମଇଦାନକୁ ଓହ୍ଲାଇଛନ୍ତି ରଣନୀତିରୁ ମାହିର୍ ତଥା ବିଜେପିର ରାଷ୍ଟ୍ରୀୟ ସହ-ସଙ୍ଗଠନ ମହାମନ୍ତ୍ରୀ ସୌଦାନ ସିଂ । ଓଡ଼ିଶା ସମେତ ୪ଟି ରାଜ୍ୟର ଦାୟିତ୍ୱ ନେଇ ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜିଠୁ ଆରମ୍ଭ ହୋଇଛି ତାଙ୍କର ମାରାଥନ କାର୍ଯ୍ୟକ୍ରମ ।
ମହାପ୍ରଭୁଙ୍କ ଦର୍ଶନ ସାରି ସିଧାସଳଖ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ସହ କରିଛନ୍ତି ‘ୱାନ୍ ଟୁ ୱାନ୍’ ଆଲୋଚନା । ‘ସଙ୍ଗଠନ ରହିଲେ ଦଳ ରହିବ’ – ନେତାଙ୍କୁ ଏଭଳି ସ୍ପଷ୍ଟ ମନ୍ତ୍ର ଦେଇ ସୌଦାନ ସିଂ କେଉଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳର ନେତୃତ୍ଵଙ୍କୁ ଦେଇଛନ୍ତି ଟିପ୍ସ ।
ଓଡ଼ିଶା ବିଜେପି ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ପୁଣି ଥରେ ରାଜ୍ୟ ଗସ୍ତରେ ଆସିଛନ୍ତି ଦଳର ରାଷ୍ଟ୍ରୀୟ ସହ-ସଙ୍ଗଠନ ମହାମନ୍ତ୍ରୀ ସୌଦାନ ସିଂ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାରର ଦାୟିତ୍ଵ ପାଇବା ପରେ ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଗତକାଲି ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ, ଆଜିଠାରୁ ସେ ନିଜର ମିଶନ ଆରମ୍ଭ କରିଛନ୍ତି ।

