ଆଜିଠୁ ଦିଲ୍ଲୀରେ ବିଜେପି ସରକାର ଆରମ୍ଭ । ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବ ନିର୍ବାଚିତ ରେଖା ଗୁପ୍ତା । ରେଖା ଗୁପ୍ତାଙ୍କୁ ଉପ ରାଜ୍ୟପାଳ ବିନୟ କୁମାର ସକସେନା ପଦ ଏବଂ ଗୋପନୀୟତା ଶପଥ ପାଠ କରାଇଛନ୍ତି । ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାପୂର୍ବରୁ ଆତିଶୀ, ଶୀଲା ଦୀକ୍ଷିତ ଏବଂ ସୁଷମା ସ୍ବରାଜ ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ।
ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପରବେଶ ବର୍ମା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ, ଆଶିଷ ସୁଦ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କପିଲ ମିଶ୍ରା, ମନଜିନ୍ଦର ସିଂ ସିରସା, ପଙ୍କଜ ସିଂ, ରବିନ୍ଦର ସିଂ ଇନ୍ଦ୍ରାଜ ମଧ୍ୟ ଶପଥ ନେଇଛନ୍ତି ।
ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର କ୍ୟାବିନେଟ ସଦସ୍ୟ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତି ରହିଛନ୍ତି ।
ରେଖା ଗୁପ୍ତା ୧୯୯୫-୯୬ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଚିବ ହୋଇଥିଲେ । ରେଖା ଗୁପ୍ତା ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବରେ ରାଜନୀତିରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ରେଖା ପେଶାରେ ଜଣେ ଓକିଲ । ଏହା ପୂର୍ବରୁ ସେ ଜଣେ କାଉନସିଲର ମଧ୍ୟ ଥିଲେ । ଦିଲ୍ଲୀ ବିଜେପିର ମହାସଚିବ ଓ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ରେଖା ଗୁପ୍ତା ଦକ୍ଷିଣ ଦିଲ୍ଲୀ ନଗର ନିଗମ ମେୟର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।
୨୦୦୪-୨୦୦୬ ମଧ୍ୟରେ ସେ ଯୁବମୋର୍ଚ୍ଚାର ଜାତୀୟ ସମ୍ପାଦକ ପଦରେ ରହିଥିଲେ । ଏପ୍ରିଲ ୨୦୦୭ରେ, ସେ ବିଜେପି ଟିକେଟରେ ଉତ୍ତର ପିତାମପୁରା ୱାର୍ଡରୁ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ନଗର ନିଗମରେ କାଉନସିଲର ହେବା ପରେ, ତାଙ୍କୁ ୨୦୦୭-୨୦୦୯ ପର୍ଯ୍ୟନ୍ତ ମହିଳା କଲ୍ୟାଣ ଏବଂ ଶିଶୁ ବିକାଶ କମିଟିର ଅଧ୍ୟକ୍ଷା ଦାୟିତ୍ବ ଦିଆଯାଇଥିଲା । ମାର୍ଚ୍ଚ ୨୦୧୦ରେ ତାଙ୍କୁ ବିଜେପିର ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ କରାଯାଇଥିଲା ।