ଘରେ ଏବେ ଖୁସି ନୁହେଁ, ଅଛି କେବଳ ଅପେକ୍ଷା ରୋଜାଲିନଙ୍କ ଫେରିବା ବାଟକୁ। ଘର ଲୋକେ ଚାତକ ଭଳି ଚାହିଁ ବସିଛନ୍ତି କେବେ ଆସିବେ ସେ। ୧୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ରୋଜାଲିନ। ୧୦ ବର୍ଷର ପୁଅକୁ ଧରି ସ୍ବାମିଙ୍କ ସହ ଗୁଜରାଟରେ ରହୁଥିଲେ। ହେଲେ ଶାଶୁଘରକୁ ଆସିବାର କେଇଟା ଦିନ ପରେ ହଠାତି ସେ ନିଖୋଜ ହୋଇଯାଇଛନ୍ତି। ୧୪ ଦିନ ବିତି ଯାଇଥିଲେ ମଧ୍ୟ ମିଳୁନି ତାଙ୍କ ପତ୍ତା। ସେ କୁଆଡେ ଘରୁ ସୁନା ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ଶାଶୁ ଘର ଲୋକେ ଅଭିଯୋଗ ଆଣିଛନ୍ତି।
ଯାଜପୁରରୁ କୁଞ୍ଜବିହାରୀପୁର ଗାଁର ମାର୍କଣ୍ଡ କରଙ୍କ ବୋହୂ ରୋଜାଲିନ ଦାସ ଓରଫ ବର୍ଷା। ପୁଅର ବ୍ରତଘର ପାଇଁ ମେ’ ମାସରେ ଆସିଥିଲେ ଶାଶୁ ଘରକୁ। ଏହାପରେ ପୁଣି ଅଗଷ୍ଟ ୨୧ରେ ମା’ ଅଞ୍ଜନା ଦାଶ ଓ ଭାଇ ସୁକାନ୍ତ ଦାଶଙ୍କ ସହ ଶାଶୁ ଘରକୁ ଆସିଥିଲେ ରୋଜାଲିନ୍। ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ। କିନ୍ତୁ ଭୋର୍ ପ୍ରାୟ ୫ଟା ବେଳକୁ ନିଖୋଜ ହୋଇଯାଇଥିଲା ବୋହୂ। ଏହାପରେ ଘରେ ପଡିଥିଲା ହୁରି। ଖୋଜାଖୋଜି ଆରମ୍ଭ ହେଲା। ଆଖପାଖରେ ଖୋଜିଲେ। ପରିଚିତ ଲୋକଙ୍କୁ ପଚାରିଲେ। କିନ୍ତୁ ମିଳିଲାନି ରୋଜାଲିନଙ୍କ କୌଣସି ଖୋଜ୍। ଶେଷରେ ଯାଜପୁର ଟାଉନ୍ ଥାନାର ଦ୍ୱାରସ୍ଥ ହେଲେ ପରିବାର। ତାଙ୍କର ଅଭିଯୋଗ, ଘରୁ ପ୍ରାୟ ୫୦ ହଜାର ଟଙ୍କା ଓ କିଛି ସୁନା ଗହଣା ନେଇ ସେ କେଉଁଆଡ଼େ ଚାଲି ଯାଇଛନ୍ତି। ଏହକୁ ଆଧାରରେ ପୋଲିସ ମାମଲା ରୁଜୁ କରୁ ତଦନ୍ତ ଚଳାଇଥିବା ବେଳେ ଏଯାଏଁ ରୋଜାଲିନଙ୍କ କୌଣସି ସନ୍ଧାନ ମିଳିନାହିଁ। ଯଦି ଶୀଘ୍ର ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯାଏ, ତେବେ ଆଗାମୀ ଦିନରେ ଏସପିଙ୍କ ଦ୍ୱାରସ୍ଥ ହେବା ସହ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଶ୍ୱଶୁର ଘର ଲୋକେ।”
ତେବେ ରୋଜାଲିନ୍ କେଉଁଠି? ୧୩ ବର୍ଷର ସଂସାର ପରେ ହଠାତ୍ କାହିଁକି ହୋଇଗଲେ ନିଖୋଜ? ଭୋର୍ ୫ଟାରୁ କେଉଁଆଡ଼େ ଗଲେ ସେ ? ପ୍ରେମ ବିବାହର ଏତେ ବର୍ଷ ପରେ ଏଭଳି ରହସ୍ୟଜନକ ନିଖୋଜ ହେବା ପଛରେ ପ୍ରକୃତ ସତ୍ୟ କ’ଣ? ଏହି ସବୁ ପ୍ରଶ୍ନର ଉତ୍ତର ଏବେ ପୋଲିସ ତଦନ୍ତ ଉପରେ।

