GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ସୌମ୍ୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଶରୀରର ୨୧ଟି ଜାଗାରେ ଲାଗିଥିଲା ଗଭୀର ଆଘାତ । ମୁଣ୍ଡର ଆଗ, ପଛ ଓ ମଝିରେ ଶକ୍ତ ଆଘାତ ଯୋଗୁଁ ରକ୍ତ ଜମାଟ ବାନ୍ଧି ଫୁଲି ଯାଇଥିଲା । ଫୁସଫୁସରେ ମଧ୍ୟ ରକ୍ତ ଜମାଟ ବାନ୍ଧିଥିଲା । ନିଶା ଦ୍ରବ୍ୟ ସେବନ କରିଥିଲେ କି ନାହିଁ ତାହା ଜାଣିବାକୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଦିଆଯାଇଛି ।
ବ୍ୟବଚ୍ଛେଦ ରିପୋର୍ଟରେ ରହିଛି ଚାଞ୍ଚଲ୍ୟକର ତଥ୍ୟ । ମୃତକଙ୍କ ଶରୀରରେ ମୋଟ ୨୧ଟି ବାହ୍ୟ ଆଘାତ ଚିହ୍ନ ରହିଛି। ମୁଣ୍ଡ, ମୁହଁ, ବେକ, ପିଠି, ହାତ ଓ ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା ।
ଡାହାଣ ଆଖି ଉପରେ ଗଭୀର ଆଘାତ ଓ ପିଠିରେ ମଧ୍ୟ ଗଭୀର କ୍ଷତ ରହିଥିଲା । ଉଭୟ ହାତ ଉପରେ ଗଭୀର କ୍ଷତ ଚିହ୍ନ ମିଳିଛି । ଯାହା ବାନ୍ଧି ରଖାଯାଇଥିବା କିମ୍ବା ଜୋରକରି ଧରାଯାଇଥିବା ଯୋଗୁ ସୃଷ୍ଟି ହୋଇଛି । ବାମ ଆଖିରେ ରକ୍ତସ୍ରାବ ହୋଇଥିଲା । ସମ୍ପୂର୍ଣ୍ଣ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ମସ୍ତିଷ୍କର ବିଭିନ୍ନ ଭାଗରେ ରକ୍ତସ୍ରାବ ହୋଇଥିଲା ।

