ଭୁବନେଶ୍ବର: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ୫ଟି ଓରାଙ୍ଗଉଟାନ୍ ଛୁଆଙ୍କୁ ଇଣ୍ଡୋନେସିଆ ଫେରାଇ ନେବାକୁ ଆନ୍ତର୍ଜାତୀୟ ସ୍ତରରେ ଆରମ୍ଭ ହୋଇଛି କସରତ.। ଏହାକୁ ଗମ୍ଭୀରତାର ସହ ନେଇଛି ଇଣ୍ଡୋନେସିଆ ସରକାର। ପ୍ରାୟ ୧ରୁ ଦେଢ଼ ବର୍ଷ ବୟସ୍କ ଏହି ଛୁଆଗୁଡ଼ିକ ସୁସ୍ଥ ଥିବାବେଳେ ବର୍ତ୍ତମାନ ସେମାନଙ୍କୁ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀଦ୍ୟାନରେ ରଖାଯାଇ ସ୍ୱତନ୍ତ୍ର ଯତ୍ନ ନିଆଯାଉଛି।
ପ୍ରାଥମିକ ତଦନ୍ତରୁ ଏହି ପ୍ରାଣୀଗୁଡ଼ିକ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପର ବୋଲି ଜଣାପଡ଼ିଛି। କାରଣ ଓରାଙ୍ଗଉଟାନ୍ କେବଳ ଇଣ୍ଡୋନେସିଆ ଏବଂ ମାଲେସିଆରେ ଦୃଶ୍ୟମାନ ହୋଇଥାନ୍ତି, ଭାରତରେ ଏମାନଙ୍କର ପ୍ରାକୃତିକ ଆବାସ ନାହିଁ। ତେଣୁ ଏହା ଏକ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚାଲାଣ କିମ୍ବା ବେଆଇନ ଚକ୍ରର ଅଂଶବିଶେଷ ବୋଲି ଦୃଢ଼ ସନ୍ଦେହ କରାଯାଉଛି ।
ଏହି ଘଟଣା ପରେ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଅତ୍ୟନ୍ତ ତତ୍ପରତା ପ୍ରକାଶ କରିଛି । ଭାରତସ୍ଥିତ ଇଣ୍ଡୋନେସିଆ ଦୂତାବାସ, CITES ଇଣ୍ଡୋନେସିଆ, BRIN ଏବଂ ବିଭିନ୍ନ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି। ଆବଶ୍ୟକୀୟ ଡିଏନ୍ଏ ପରୀକ୍ଷା ଏବଂ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଏହି ସମସ୍ତ ଓରାଙ୍ଗୁଟାନ୍ ଛୁଆଙ୍କୁ ସୁରକ୍ଷିତ ଭାବେ ଇଣ୍ଡୋନେସିଆକୁ ଫେରାଇ ଆଣିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ।
ଗତ ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଭୋଗରାଇ/ଉଦୟପୁର ବ୍ଲକ୍ ନିକଟ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜଙ୍ଗଲରୁ ବନ ବିଭାଗ ୫ଟି ଶିଶୁ ଓରାଙ୍ଗଉଟାନ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କ ବୟସ ପ୍ରାୟ ୧ରୁ ୧.୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ଉଦ୍ଧାର ସମୟରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇ ଚିକିତ୍ସା ଓ ଯତ୍ନ ନିଆଯାଉଛି।

