ବିମାନ ଭିତରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ବିମାନ ଭିତରେ କିଛି ଯାତ୍ରୀ ତାଙ୍କ ଆଡକୁ ଇଙ୍ଗିତ କରି ଟିଏମସି ଚୋର ଓ ଜୟ ଶ୍ରୀରାମ ନାରା ଲଗାଇଥିବା ଅଭିଯୋଗ ଆଣିଛନ୍ତି ସାଂସଦ । ମହୁଆ କହିଛନ୍ତି ଯେ, କିଛି ଲୋକ ସେମାନଙ୍କ ମୋବାଇଲ ଫୋନରେ ତାଙ୍କର ଭିଡିଓ ରେକର୍ଡିଂ କରିଥିଲେ । ଟିଏମସି ସାଂସଦ ନିଜ ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି । ସାଂସଦ ନାଗରିକ ଉନ୍ନୟନ ମନ୍ତ୍ରୀ କେ. ରାମ ମୋହନ ନାଇଡୁଙ୍କୁ ଅପିଲ କରି ଏମାନଙ୍କୁ ନୋ ଫ୍ଲାଇ ଲିଷ୍ଟରେ ରଖିବାକୁ କହିଛନ୍ତି ।
ମହୁଆ ଲେଖିଛନ୍ତି, ଆଲର୍ଟ ! ଆଜି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କୋଲକାତାରୁ ଇଣ୍ଡିଗୋ ବିମାନ ୬ଇ-୭୧୯ରେ ଦିଲ୍ଲୀ ଯାଉଥିଲି । ଦିଲ୍ଲୀରେ ପ୍ରତିରକ୍ଷା ସହ ଜଡିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗଦେବାର ଥିଲା । ସିଟ୍ ସଂଖ୍ୟା ୧ଏଫରେ ବସିଥିଲେ । ଏହି ସମୟରେ ୬ ଜଣ ବ୍ୟକ୍ତି ତାଙ୍କ ସିଟ୍ ଅତିକ୍ରମ କରି ପଛକୁ ଯିବା ବେଳେ ତାଙ୍କୁ ଇଙ୍ଗିତ କରି ବିଭିନ୍ନ ସ୍ଳୋଗାନ ଦେଇଥିଲେ । ଏହା ପରେ ବିମାନ ଦିଲ୍ଲୀରେ ଲ୍ୟାଣ୍ଡିଂ କରିବା ପରେ ସେମାନେ ପଛରେ ବସି ନାରାବାଜି କରିବା ସହ ତାଙ୍କର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ । ଚୋର ଚୋର ବୋଲି କହି ବିମାନ ଭିତରେ ନାରାବାଜି କରିଥିଲେ । ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ।
ବିମାନ ଭିତରେ ଏଭଳି ଘଟଣା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସେ ଇଣ୍ଡିଗୋ ଏୟାରଲାଇନ୍ସକୁ ଏହାର ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତ ଯାତ୍ରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ନୋ- ଫ୍ଲାଏ ତାଲିକାରେ ସାମିଲ କରିବାକୁ ଦାବି କରିଛନ୍ତି । ଏଥିସହ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।
ଏହି ମାମଲାରେ ସପା ପ୍ରମୁଖ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, ବିଜେପି ଶାସନ କାଳରେ ଟ୍ରେନ ବସରେ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇପଡିଥିଲା, ବିମାନରେ ମଧ୍ୟ ମହିଳା ସାଂସଦ ସୁରକ୍ଷିତ ନୁହନ୍ତି । ବିଜେପିର ପୁରୁଷବାଦୀ ଚିନ୍ତାଧାରା ନାରୀଙ୍କୁ ଅପମାନ କରି ସନ୍ତୁଷ୍ଟି ମିଳୁଛି । ଏଭଳି ତୁଚ୍ଛବ୍ୟବହାର ନିନ୍ଦନୀୟ ।

