ନୁଆଦିଲ୍ଲୀ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା ପୋକ୍ସୋ ଆଇନ ଅନୁସାରେ ଅପରାଧ । ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଏହି ସମୟରେ ଜଷ୍ଟିସ ସଞ୍ଜୀବ ନରୁଲା କହିଛନ୍ତି ଯେ, ବିବାହ ଦ୍ୱାରା ପିଲାଙ୍କର ବୟସ ବଢ଼େ ନାହିଁ । ତେଣୁ ମୁସଲିମ ପର୍ସନାଲ ଲ’ ଅନୁସାରେ ବିବାହ ବୈଧ ହୋଇଥିଲେ ବି ୧୮ ବର୍ଷରୁ କମ୍ ବୟସର ପତ୍ନୀଙ୍କ ସହ ଶାରିରୀକ ସଂପର୍କ ସ୍ଥାପନ କ୍ଷେତ୍ରରେ ପୋକ୍ସୋ ଆଇନ କିମ୍ବା ଭାରତୀୟ ନ୍ୟାୟ ସଂହିତା ଅଧୀନରେ ହେବାକୁ ଥିବା ଆଇନଗତ କାର୍ଯ୍ୟାନୁଷ୍ଠାନରୁ ଏହା ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରେନାହିଁ । ଏଥିସହ ଜଷ୍ଟିସ ନରୁଲା ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ମନା କରିଛନ୍ତି ।
କ’ଣ ଥିଲା ପୂରା ମାମଲା?
ମାମଲାଟି ଏହିପରି । ନାବାଳିକାଙ୍କୁ ୧୬ ବର୍ଷ ୩ ମାସ ହୋଇଥିବାବେଳେ ୨୦୨୪ ମସିହାରେ ସେ ୨୮ ବର୍ଷିୟ ବିଲାଲଙ୍କୁ ବିବାହ କରିଥିଲେ। ପରେ ସେ ଗର୍ଭବତୀ ହୋଇଥିଲେ। ଗତ ମେ’ ମାସରେ ସରକାରୀ ହସ୍ପିଟାଲରେ ଯାଞ୍ଚ ସମୟରେ ତାଙ୍କର ବୟସ ସାମ୍ନାକୁ ଆସିଥିଲା । ଏହାପରେ ବିଲାଲଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୭୫ ଏବଂ ପୋକ୍ସୋ ଆଇନ, ୨୦୧୨ ଅନୁସାରେ ଏଫଆଇଆର ହୋଇଥିଲା । ତାକୁ ରଦ୍ଦ କରିବା ଲାଗି ବିଲାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ
