ଗତକାଲି ରାତିରେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚିକଲିଆର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।
ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୮ ଟା ୩୦ମିନିଟ ସମୟରେ ପିକଅପ୍ ଟ୍ରକଟି ପ୍ରାୟ ୩୦ ରୁ ୩୫ ଜଣ ଶ୍ରମିକଙ୍କୁ ନେଇଯାଉଥିଲା । ଭାରସାମ୍ୟ ହରାଇ ହଠାତ୍ ଗାଡ଼ିଟି ଓଲଟି ପଡିଥିଲା । ଫଳରେ ଭଗ୍ନାବଶେଷ ତଳେ ଚାପି ହୋଇ ଘଟଣାସ୍ଥଳରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚିଥିଲେ । ଆହତମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲ ପଠାଯାଇଥିଲା । ଏଠି ସହିତ ଘଟଣାର ତଦନ୍ତ କରୁଛି ପୋଲିସ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଧାର ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରି X ରେ ଏକ ପୋଷ୍ଟରେ ଲେଖିଛନ୍ତି, “ଧାର ଜିଲ୍ଲାର ଇନ୍ଦୋର-ଅହମ୍ମଦାବାଦ ଜାତୀୟ ରାଜପଥର ଚିକଲିଆ ଫାଟାନିକଟରେ ଘଟିଥିବା ସଡ଼କ ଦୁର୍ଘଟଣା ହୃଦୟ ବିଦାରକ । ” ପ୍ରଭାବିତ ପରିବାରକୁ ମଧ୍ୟ ସମବେଦନା ଜଣାଇଛନ୍ତି । ଏହା ବ୍ୟତୀତ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

