ନିଜ ଦେହରେ ନିଆଁ ଲଗାଇ ଦେଲେ ଦ୍ବାଦଶ ଶ୍ରେଣୀ ଛାତ୍ରୀ । ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ପୂର୍ବ ଦିଲ୍ଲୀର କୃଷ୍ଣାନଗର ଅଞ୍ଚଳରେ ଥିବା ସର୍ବୋଦୟ ବାଳିକା ବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ । ଏହି ଘଟଣା ପରେ ସ୍କୁଲ ପରିସର ସମେତ ସମଗ୍ର ଅଞ୍ଚଳରେ ଭୟ ଓ ସୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ଛାତ୍ରଙ୍କ ବ୍ୟାଗରୁ ମିଳିଥିବା ଏକ ସୁଇସାଇଡ୍ ନୋଟ୍ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ।
ପୁଲିସର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଶନିବାର ସ୍କୁଲରେ ନିଆଁ ଲାଗିଥିବା ନେଇ ପିସିଆରକୁ କଲ୍ ଆସିଥିଲା । ଖବର ପାଇ କୃଷ୍ଣାନଗର ଥାନା ପୁଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍କୁଲର ଗାର୍ଡ ରୁମ୍ ପଛପଟେ ଉକ୍ତ ଛାତ୍ରୀ ଜଣକ ଗୁରୁତର ପୋଡ଼ିଯାଇଥିବା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ତେବେ ପୁଲିସ ଓ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ତଦନ୍ତ ବେଳେ ମୃତ ଛାତ୍ରୀଙ୍କ ସ୍କୁଲ ବ୍ୟାଗରୁ ଏକ ୩ ପୃଷ୍ଠାର ସୁସାଇଡ୍ ନୋଟ୍ ଜବତ କରାଯାଇଛି । ମୃତ ଛାତ୍ରୀଙ୍କ ବୟସ ପାଖାପାଖି ୧୭ ରୁ ୧୮ ବର୍ଷ ମଧ୍ୟରେ ବୋଲି ପୁଲିସ ଦର୍ଶାଇଛି। ତେବେ ଛାତ୍ରୀ ଜଣକ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ, ସୁସାଇଡ୍ ନୋଟ୍ରେ କ’ଣ ଲେଖାଅଛି ଏବଂ ସ୍କୁଲ ଭିତରକୁ ସେ କିପରି ଜାଳିହବୋ ଭଳି ପଦାର୍ଥ ନେଇ ପ୍ରବେଶ କଲେ, ସେ ନେଇ ପୁଲିସ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ, ସହପାଠୀ ଓ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

