ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପ୍ରାୟ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣା ପ୍ରାୟ ଆଜି ଭୋର ୩ଟାରେ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ନିଆଁ ଲିଭାଇବା ପାଇଁ ବାରଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଆଇସିୟୁ ୱାର୍ଡରେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି ।
ସୂଚନାନୁଯାୟୀ, ହସ୍ପିଟାଲର ପଞ୍ଚମ ମହଲାରେ ଅବସ୍ଥିତ ଆଇସିୟୁ ୱାର୍ଡରେ ନିଆଁ ଲାଗିଥିଲା। ଫଳରେ ଶ୍ୱାସରୁଦ୍ଧ ହୋଇ ଅନେକ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ସମ୍ପର୍କୀୟମାନେ ଦୁଃଖ ଓ ଅସହ୍ୟ ଅନୁଭବ କରୁଥିଲେ। ଏସଏସପି ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ଅନେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉଦ୍ଧାର କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ ଏବଂ ହସ୍ପିଟାଲରେ ରୋଗୀଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ।
ଅନ୍ୟପଟେ ଅଗ୍ନିଶମ ବିଭାଗର ଅଧିକାରୀ ରାମ ନିବାସ ପାଣ୍ଡେ କହିଛନ୍ତି ଯେ, ଘଟଣାର ପରିସ୍ଥିତିର ମୂଲ୍ୟାଙ୍କନ କରାଯାଉଛି । ଏଥିସହ ହସ୍ପିଟାଲ ପରିଚାଳନା ପକ୍ଷରୁ କୁହାଯାଇଛି ଯେ, ସେମାନେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ଦୁର୍ଘଟଣାର ତଦନ୍ତ କରାଯାଉଛି । ଏହି ଘଟଣା ସାରା ସହରରେ ଆତଙ୍କ ସୃଷ୍ଟି କରିଛି।
