ଭକ୍ତିର ଜୁଆରରେ ଉଛୁଳି ଉଠିଛି ଶ୍ରୀକ୍ଷେତ୍ର… ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ପୁରୀ ବଡ଼ଦାଣ୍ଡ, ଆଉ ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ କାଳିଆ ସାଆନ୍ତ। ଗୁଣ୍ଡିଚା ଘରେ ନଅ ଦିନର ଦିବ୍ୟ ଲୀଳା ପରେ ଆଜି ପବିତ୍ର ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫେରିବା ବେଳାକୁ ସାକ୍ଷୀ ଭକ୍ତ ।
ଆରମ୍ଭ ହୋଇଛି ପହଣ୍ଡି ବିଜେ । ସର୍ବପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିବାବେଳେ ଏହା ପରେ କ୍ରମା ରେ ହେବ ପହଣ୍ଡି ବିଜେ । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବା ପାଇଁ ଚତୁର୍ଦ୍ଧାମୂରତିଙ୍କ ବାହୁଡ଼ା ଯାତ୍ରାକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନି ଓ ହୁଳହୁଳିରେ ପରିବେଶ ଭକ୍ତିମୟ ହୋଇଉଠିଛି ।
ଏଇ ସେଇ ସେମୟ ଯାହାକୁ ସାରା ବର୍ଷ ଧରି ଚାତକ ପରି ଅପେକ୍ଷା କରିଥାନ୍ତି କୋଟି କୋଟି ଜଗନ୍ନାଥପ୍ରେମୀ । ଭକ୍ତି, ଭାବ ଓ ଆଧ୍ୟାତ୍ମିକତାର ମହାସଙ୍ଗମ ପାଲଟିଛି ଶ୍ରୀକ୍ଷେତ୍ର ପୁରୀ । ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ବଡ଼ଦାଣ୍ଡ, ହୁଳହୁଳି, ଶଙ୍ଖଧ୍ୱନି ଓ ହରିବୋଲରେ ମୁଖରିତ ସମଗ୍ର ପରିବେଶ ।
ଗୁଣ୍ଡିଚା ମନ୍ଦିରରେ ନଅ ଦିନର ଦିବ୍ୟ ଲୀଳା ସମାପ୍ତ କରି ଆଜି ନୀଳାଚଳ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନ । ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀରେ ସମବେତ ହୋଇଛନ୍ତି । ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ଓ ରଥ ଟାଣିବାର ସୌଭାଗ୍ୟ ପାଇଁ ଭକ୍ତଙ୍କ ମନରେ ଦେଖାଦେଇଛି ଅଦ୍ଭୁତ ଉତ୍ସାହ । ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ ପହଣ୍ଡି ବିଜେରୁ ଆରମ୍ଭ ହୋଇ ଅପରାହ୍ଣରେ ତିନି ରଥ ଗଡ଼ିବ ବଡ଼ଦାଣ୍ଡରେ ।
ସେପଟେ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭକ୍ତିର ମହାସ୍ରୋତରେ ଆଜି ପୁଣିଥରେ ନିଜ ଭକ୍ତଙ୍କ ପାଖକୁ ଫେରୁଛନ୍ତି କାଳିଆ ସାଆନ୍ତ, ଆଉ ସେହି ଦିବ୍ୟ ମୁହୂର୍ତ୍ତକୁ ନେଇ ଉତ୍ସବମୁଖର ହୋଇଉଠିଛି ସାରା ଶ୍ରୀକ୍ଷେତ୍ର ।