ସଂଚାର ବ୍ୟୁରୋ: ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୮ ବର୍ଷ ପୂରି ୭୯ ବର୍ଷରେ ପାଦ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନଙ୍କୁ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ । ନବୀନଙ୍କ ଜନ୍ମଦିନକୁ ଆଜି ଜନସେବାର ସଂକଳ୍ପ ଦିବସ ଭାବେ ପାଳନ କରୁଛି ବିଜୁ ଜନତା ଦଳ । ସାରା ରାଜ୍ୟରେ ଆୟୋଜନ ହେଉଛି ରକ୍ତଦାନ ଶିବିର । ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ କରି ଦଳର ମୁଖିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।
୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳ ମଣ୍ଡନ କରନ୍ତି ନବୀନ । ସେ ଦିନ ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । କଟକ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢିଛନ୍ତି । ବିଜୁ ବାବୁଙ୍କ ଦେହାନ୍ତ ପରେ ପୂର୍ବତନ ଜନତା ଦଳର କିଛି ନେତାଙ୍କ ନେତୃତ୍ବ ନେଇ ରାଜନୀତିରେ ପାଦ ଥାପିଲେ ନବୀନ ପଟ୍ଟନାୟକ ।
୧୯୯୭ ଡିସେମ୍ବରରେ ଏକ ଆଞ୍ଚଳିକ ଦଳ ଭାବେ ମୁଣ୍ଡ ଟେକିଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ସେବେଠୁ ନବୀନ ହୋଇଯାଇଥିଲେ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ଜନନାୟକ । ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ଯମନ୍ତ୍ରୀ ଭାବେ ଲୋକଙ୍କର ସେବା କରିଆସିଛନ୍ତି । ସାରା ବିଶ୍ବରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନନେତା ହେଉଛନ୍ତି ନବୀନ । ତାଙ୍କ ଦୃଢ ନେତୃତ୍ବରେ ଓଡ଼ିଶାକୁ ଅଗ୍ରଣୀ କରିଛି । ଶିକ୍ଷାଠୁ ସ୍ବାସ୍ଥ୍ୟ, ଶିଳ୍ପଠୁ କ୍ରୀଡ଼ା ସବୁ କ୍ଷେତ୍ରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର ପରିଚୟ ।
ରାଜ୍ୟର ବିକାଶ ପାଇଁ ନବୀନଙ୍କ ଯୁଗାନ୍ତକାରି ପଦକ୍ଷେପକୁ ବିଶ୍ବବ୍ୟାଙ୍କ, ନୀତି ଆୟୋଗ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଓ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି । ନବୀନଙ୍କ ଜୀବନବ୍ୟାପୀ ସାଧନା ସମସ୍ତଙ୍କ ପାଇଁ ପ୍ରେରଣା । ତାଙ୍କ ସେବା ନୀତି ଓ ଓଡ଼ିଶା ପ୍ରତି ଅବଦାନ ରାଜ୍ୟବାସୀଙ୍କ ମନରେ ଲିପିବଦ୍ଧ । ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହୋଇଥିଲେ ମଧ୍ଯ ଏବେ ବି ନବୀନଙ୍କ ଲୋକପ୍ରିୟତା ଅତୁଟ । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ଜନସେବାକୁ ମୂଳମନ୍ତ୍ର କରି ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ ଜାରି ରଖିଛି ।