ସଂଚାର ବ୍ୟୁରୋ: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଜୁନିଅର ଡାକ୍ତର। ପଶ୍ଚିମବଙ୍ଗର ସମସ୍ତ ସ୍ବାସ୍ଥ୍ଯକେନ୍ଦ୍ରରେ ସେବା ପ୍ରଭାବିତ ହୋଇଛି। ରାଜ୍ଯ ସରକାର ଦାବି ମାନି ନଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଗତକାଲି କାର୍ଯ୍ୟରତ ସ୍ବାସ୍ଥ୍ଯସେବା କର୍ମୀଙ୍କ ଲାଗି ଏକ ରାଜ୍ୟସ୍ତରୀୟ ଅଭିଯୋଗ ସମାଧାନ କମିଟି ଗଠନ କଲେ ପଶ୍ଚିମବଙ୍ଗ ସରକାର । ରାଜ୍ଯବ୍ୟାପୀ ପୁଣି ଅନିର୍ଦ୍ଦିଷ୍ଟ କାଳ ଲାଗି ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ପରେ ପରେ ନଇଁଛନ୍ତି ସରକାର । ରାଜ୍ଯର ସମସ୍ତ ମେଡିକାଲରେ ସୁରକ୍ଷା ଯୋଗାଇଦେବା ସମେତ ଅନ୍ଯାନ୍ଯ ଦାବିରେ ଅଟଳ ରହିଛନ୍ତି ଡାକ୍ତର । ଗତକାଲି ବି ଏହି ଦାବି ନେଇ ଡାକ୍ତରମାନେ କରିଥିଲେ ଆନ୍ଦୋଳନ । ଗଠିତ ସାତଜଣିଆ କମିଟିର ଅଧ୍ଯକ୍ଷ ରହିବେ ଖ୍ଯାତନାମା ଡାକ୍ତର ସୌରଭ ଦତ୍ତ । କମିଟିରେ ଥିବା ଅନ୍ଯ ସଦସ୍ଯମାନେ ହେଲେ ଡାକ୍ତର ଦେବଯାନୀ ବାନାର୍ଜୀ, ଡାକ୍ତର ଯୋଗୀରାଜ ରାୟ ଓ ଡାକ୍ତର ସଜୀବଚକ୍ରବର୍ତ୍ତୀ । ପୂର୍ବରୁ ରାଜ୍ଯ ସରକାର ସମସ୍ତ ରୋଗୀ କଲ୍ଯାଣ ସମିତିକୁ ଭାଙ୍ଗି ପୁନର୍ଗଠିତ କରିଥିଲେ । ୪୨ ଦିନର ଆନ୍ଦୋଳନ ପରେ ଗତ ସେପ୍ଟେମ୍ବର ୨୧ରେ ଡାକ୍ତରମାନେ କାର୍ଯ୍ଯବନ୍ଦ ଆନ୍ଦୋଳନ ଆଂଶିକ ପ୍ରତ୍ଯାହାର କରିଥିଲେ । ଡାକ୍ତରମାନେ ଅଭିଯୋଗ କରିଛନ୍ତି, ସେମାନଙ୍କର ସୁରକ୍ଷା ଲାଗି ରାଜ୍ଯ ସରକାର ସେମିତି କିଛି ପଦକ୍ଷେପ ନେଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ପୂରଣ କରାଯାଉନାହିଁ। ଆରଜି କର ମେଡିକାଲ କଲେଜର ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ପଶ୍ଚିମବଙ୍ଗର ଡାକ୍ତରମାନେ ରାସ୍ତାକୁ ଓହ୍ଲାଇଥିଲେ।