ଭୁବନେଶ୍ଵର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଶନିବାର ଲୋକସେବା ଭବନରେ ବସିଛି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ।
ମିଳିଥିବା ସରକାରୀ ସୂଚନା ଅନୁସାରେ, ଆସନ୍ତା ୨୫ ତାରିଖରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ଵରରେ ଡାଟା ସେଣ୍ଟର ଉଦ୍ଘାଟନ କରିବାର କାର୍ଯ୍ୟକମ ରହିଥିବା ସୂଚନା ମିଳିଛି ।
୨ ଦିନିଆ ଗସ୍ତରେ ରାଷ୍ଟ୍ରପତି
ସେହିଭଳି ୨୮ ତାରିଖରେରେ ୨ ଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତି ଓଡ଼ିସା ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବେ ।
ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୨୮ ତାରିଖରେ ଦାଣ୍ଡବୋଷ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରି ବହଳଦା ସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର, ମାହୁଲଡିହାର ଲକ୍ଷ୍ମୀମଣ୍ଡପ ଏବଂ ରାଇରଙ୍ଗପୁର ସ୍ଥିତ ରାଷ୍ଟ୍ରପତିଙ୍କ ଗୃହକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ ରାଇରଙ୍ଗପୁର କଚେରି ପଡ଼ିଆ ଗସ୍ତ ସହ ହଲିଡେ ହୋମ୍କୁ ଯାତାୟାତର ଯୋଜନା ରହିଛି ।
ସେହିପରି ଅକ୍ଟୋବର ୨୯ ତାରିଖରେ ରାଇରଙ୍ଗପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ, ବିକାଶ ନଗର ଏବଂ ଗୋରୁମହିଷାଣୀ ଆଇରନ୍ କଲେଜସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ସମେତ ଟାଉନ୍ ହଲ୍ ଗସ୍ତର କାର୍ଯ୍ୟସୂଚୀ ରହିଛି । ଏହାପରେ ଦାଣ୍ଡବୋଷ ବିମାନବନ୍ଦର ଅଭିମୁଖେ ଫେରିବାର ଯୋଜନା ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୋଲିସ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ରାସ୍ତାଘାଟ, ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥାର ସମନ୍ୱୟ ଉପରେ ଦିଆଯାଇଛି । ତେବେ ରାଷ୍ଟ୍ରପତିଙ୍କ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଓ ପ୍ରତ୍ୟେକ କାର୍ଯ୍ୟକ୍ରମର ସମୟ ସମ୍ପର୍କରେ ଅଧିକାରୀକ ସୂଚନା ମିଳି ନାହିଁ ।

