ସଂଚାର ବ୍ୟୁରୋ: ମହାନଗରୀ ମୁମ୍ବାଇରେ ବର୍ଷା ବିତ୍ପାତ । ହଜାର ହଜାର ଲୋକ ଜଳବନ୍ଦୀ । ଅନେକ ସ୍ଥାନରେ ଜଳ ଜମିବା ଯୋଗୁ ଯୋଗାଯୋଗ ବ୍ଯବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ସ୍ଥିତିକୁ ନଜରରେ ରଖି ମୁମ୍ବାଇରେ ଜାରି କରାଯାଇଛି ରେଡ ଆଲର୍ଟ । ଆଜି ବୃହନମୁମ୍ବାଇ ପୌର ନିଗମରେ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ବିଶେଷ କାମ ନଥିଲେ ଘରୁ ନବାହାରିବା ମୁମ୍ବାଇବାସୀଙ୍କୁ ପରାମର୍ଶ ଦେଇଛି ବିଏମସି । ଗତକାଲିଠାରୁ ଲାଗି ରହିଥିବା ବର୍ଷା ଛାଡିବାର ନାଁ ଧରୁନାହିଁ । ଟ୍ରେନ, ବସ୍, ଯାନବାହନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିବାରୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି ବୋଲି କହିଛି ବିଏମସି । ସବୁଠାରୁ ବେଶୀ ସମସ୍ଯା ସୃଷ୍ଟି ହୋଇଛି ଘଟକୋପାର ରେଳବାଇ ଷ୍ଟେସନ ଅଞ୍ଚଳରେ । ସେଠାରେ ଶହ ଶହ ଲୋକ ହରକତର ସମ୍ମୁଖୀନ ହୋଇଛନ୍ତି । ଗତକାଲି ଭୋରରୁ ରାତି ସାଢେ 8ଟା ମଧ୍ଯରେ ସହରରେ ହାରାହାରି 100 ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା । ବୀଣାନଗରରେ 104 ମିଲିମିଟର ବର୍ଷା ହୋଇଥିଲା । ଏହି ଅଞ୍ଚଳରେ ସହସ୍ରାଧିକ ଲୋକ ପାଣିଘେରରେ ରହିଛନ୍ତି । ମୁଲୁନ୍ଦ, ଭାନଦୁପ, ପାଓ୍ବାଲ, ଚେମ୍ବୁର, ଗୋବାନ୍ଦି ଆଦି ଅଞ୍ଚଳରେ ବି ତାଣ୍ଡବ ରଚିଛି ବର୍ଷା ।