ଋଷିକୁଲ୍ୟା ନଦୀରେ ବଢ଼ିଲା ପାଣି । ବୁଡ଼ିଲା ସୋରଡ଼ା ସହର । ଗଞ୍ଜାମ ସୋରଡାରେ ବନ୍ୟାସ୍ଥିତି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ସୋରଡାରେ ତିନି ଦିନ ହେଲା ଲାଗିରହିଛି ପ୍ରବଳ ରୁ ଅତି ପ୍ରବଳ ବର୍ଷା । ଫଳରେ ଋଷିକୁଲ୍ୟା ନଦୀର ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ଉପୁଜିଛି ।
ସୋରଡା ସହରର ଆଦର୍ଶ କଲୋନୀ ,ମଠ ସାହି, କାଳୀ ମନ୍ଦିର ସାହି , କର୍ତି ସାହି, ନେତାଜୀ ସାହି ଭଳି ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ଆସି ଜଳମଗ୍ନ ହୋଇ ରହିଛି । ଅନେକ ଲୋକ ଏବେବି ଜଳବନ୍ଦୀ ହୋଇ ରହିଛନ୍ତି । ସୋରଡା ବ୍ଲକର ପାଲକାଟୁ,ନୂଆଗାଁ, ତତାବାଲି, ସୁରମଣୀ,ନୂଆଗଡ, ଭାଲିଆଗୋଛା,ବ୍ରାହ୍ମଣଦେଇ ଭଳି ବହୁ ଗାଁରେ ବନ୍ୟା ଜଳ ପଶି ଯାଇଛି । ସୋରଡାକୁ ଚାରିଆଡ଼ୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।
ଅନ୍ୟପଟେ ଦେବଦୂତ ସାଜିଲା ଅଗ୍ନିଶମ ବାହିନୀ । ଅନ୍ଧାର ରାତିରେ ବନ୍ୟାଜଳରୁ ଉଦ୍ଧାର କଲା ୬ ଜୀବନ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟାଜଳରେ ଫସି ରହିଥିବା ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଛତ୍ରପୁର ବ୍ଲକ୍ ର ବଳରାମପୁର ଗାଁରେ ବନ୍ୟାଜଳ ଘେରରେ ଏକ ଗଛ ଉପରେ ଫସି ରହିଥିଲେ ଜଣେ ବ୍ୟକ୍ତି ।
ଖବର ପାଇ ଛତ୍ରପୁର ଅଗ୍ନିଶମ ବାହିନୀର ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସେହିପରି ବ୍ରହ୍ମପୁର ସହରର ରାମକୃଷ୍ଣ ନଗର ତୃତୀୟ ଲେନରେ ଜଳବନ୍ଦୀ ହୋଇ ରହିଥିଲେ ଗୋଟିଏ ପରିବାରର ୪ ଜଣ ସଦସ୍ୟ । ଜରୁରୀକାଳୀନ ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବ୍ରହ୍ମପୁର ଅଗ୍ନିଶମ ବାହିନୀ । ଉଦ୍ଧାର ହୋଇଥିବା ପରିବାରରେ ଜଣେ ପୁରୁଷ, ଜଣେ ମହିଳା ଓ ଦୁଇ ଜଣ ଶିଶୁ ଅଛନ୍ତି ।
ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ସମସ୍ତ ୫ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସେହପରି ବ୍ରହ୍ମପୁର ସହରର ବ୍ୟାଙ୍କ କଲୋନୀ ଅଷ୍ଟମ ଲେନରେ ଜଳବନ୍ଦୀ ହୋଇ ରହିଥିଲେ ଜଣେ ବୃଦ୍ଧା । ଘରେ ପାଣି ପଶିଯାଇଥିବାରୁ ସେ ଫସି ରହିଥିଲେ । ଏନେଇ ୧୧୨ ହେଲ୍ପଲାଇନ୍ ରେ ଜରୁରୀକାଳୀନ ଫୋନ୍ କଲ୍ ମିଳିବା ପରେ ବ୍ରହ୍ମପୁର ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
