ଆସୁଛି ବାତ୍ୟା । ଆସନ୍ତା ୨୬ରେ ବାତ୍ୟା ସୃଷ୍ଟି ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୬ ସୁଦ୍ଧା ନେବ ବାତ୍ୟାର ରୂପ । ଅଧିକ ଘନୀଭୂତ ହୋଇ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ମୁହାଁ ହେବ । ବଙ୍ଗୋପସାଗରରେ ସକ୍ରିୟ ହୋଇଛି ସାମୁଦ୍ରିକ ଗତିବିଧି । ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ଭୋରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ଗତକାଲି ସେହି ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ତାହାର ପ୍ରଭାବରେ ଏହି ଲଘୁଚାପ ଦାନା ବାନ୍ଧିଛି । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ଆକଳନ ଅନୁସାରେ, ଏହି ପ୍ରଣାଳୀ କ୍ରମଶଃ ଘନୀଭୂତ ହୋଇ ଆଗାମୀ କିଛି ଦିନ ମଧ୍ୟରେ ଏକ ଭୀଷଣ ବାତ୍ୟାରେ ପରିଣତ ହେବାକୁ ଯାଉଛି ।
ଏହି ଲଘୁଚାପ ଆହୁରି ସଙ୍ଗଠିତ ହେବ ଏବଂ ୨୪ ଅକ୍ଟୋବର ସୁଦ୍ଧା ଏକ ଅବପାତରେ ପରିଣତ ହେବ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨୫ରେ ଗଭୀର ଅବପାତର ରୂପ ନେବ ।
୨୬ ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାର ରୂପ ଧାରଣ କରିବାର ସମ୍ଭାବନା ରହିଛି। ବାତ୍ୟା ରୂପ ନେବା ପରେ ଏହା କ୍ରମାଗତ ଭାବେ ଶକ୍ତିଶାଳୀ ହୋଇ ୨୭-୨୮ ଅକ୍ଟୋବରରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେବ ।
