ସୁପ୍ରିମକୋର୍ଟ ୧୦ ଅକ୍ଟୋବରରେ ଦିଲ୍ଲୀରେ ବିକ୍ଷୋଭ ସମୟରେ ମେଟ୍ରୋ ଷ୍ଟେସନ ବନ୍ଦ କରିବା ଏବଂ ଓକିଲ ଏବଂ ସାମ୍ବାଦିକଙ୍କୁ ଅଟକ ରଖିବା ବିରୋଧରେ ଏକ ମାମଲାର ଶୁଣାଣି କରିଥିଲେ । କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ଅବମାନନା ନୋଟିସ ଜାରି କରିଛନ୍ତି । କୋର୍ଟ ଦିଲ୍ଲୀରେ ଟ୍ରାଫିକ୍ ଏବଂ ଇଣ୍ଟରନେଟ୍ ସେବାକୁ ସ୍ୱାଭାବିକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ସେମାନଙ୍କର ବୃତ୍ତିଗତ କାର୍ଯ୍ୟ କରିବାରୁ ବାରଣ କରାଯିବା ଉଚିତ୍ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଦିଲ୍ଲୀରେ ଲାଗୁ ହୋଇଥିବା କଟକଣା ସମ୍ପର୍କରେ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ (SG)ଙ୍କୁ କହିଛନ୍ତି ଯେ, ଲୋକମାନଙ୍କୁ ସେମାନଙ୍କର ବୃତ୍ତିଗତ କାର୍ଯ୍ୟ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବା ଉଚିତ୍ ନୁହେଁ । ମେଟ୍ରୋ ସାଧାରଣ ସମୟସାରଣୀ ଅନୁସାରେ ପରିଚାଳିତ ହେବା ଉଚିତ ।
ଏଥିସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନିର୍ଭର କରି ଆବଶ୍ୟକ ହେଲେ ନିୟମାବଳୀ ଲାଗୁ କରାଯାଇପାରେ । କୋର୍ଟ ସମ୍ବିଧାନର ଧାରା 19(2) ମଧ୍ୟ ଉଲ୍ଲେଖ କରିଛନ୍ତି । ସହରରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ପୁନଃସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହିତ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବ୍ୟାରିକେଡ୍ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ କେବଳ ବ୍ୟାରିକେଡ୍ ଲଗାଯିବା ଉଚିତ । ତେଣୁ ବର୍ତ୍ତମାନ ବ୍ୟାରିକେଟ୍ ହଟାଇ ଗତିବିଧିକୁ ସ୍ୱାଭାବିକ କରାଯାଉ । ବେଆଇନ୍ ଭାବେ କାହାକୁ ଅଟକ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକ ହେଲେ ଉପଯୁକ୍ତ କଟକଣା ଲାଗୁ କରାଯାଇପାରେ ।

