ୟୁପିଆଇ ବ୍ୟବହାରକାରୀ ଏବଂ ବ୍ୟବସାୟୀଙ୍କ ପାଇଁ ଖୁସି ଖବର । ଅକ୍ଟୋବର ୧୫ ନୁହେଁ, ୨୦୨୭ ଜାନୁଆରୀ ପହିଲାରୁ ଲାଗୁ ହୋଇପାରେ ୟୁପିଆଇ ଶୁଳ୍କ। ପୂର୍ବରୁ ଅକ୍ଟୋବର ୧୫ରୁ ଲାଗୁ ହେବାକୁ ଥିବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ୟୁପିଆଇ ଶୁଳ୍କକୁ ସରକାର ଏବଂ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ କିଛି ମାସ ପାଇଁ ସ୍ଥଗିତ ରଖିବାକୁ ବିଚାର କରୁଛନ୍ତି।
ଏହି ନୂଆ ନିୟମକୁ ଅକ୍ଟୋବର ୧୫ ବଦଳରେ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଘୁଞ୍ଚାଯାଇପାରେ ବୋଲି ସୂଚନା ମିଳିଛି। ଏହା ପଛରେ ମୁଖ୍ୟ କାରଣ ହେଉଛି, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଭାରତରେ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଲୋକେ ପ୍ରଚୁର କିଣାବିକା କରନ୍ତି। ଏହି ସମୟରେ ନୂଆ ଚାର୍ଜ ଲାଗୁ କଲେ ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାଦ୍ବାରା ପେମେଣ୍ଟ କମ୍ପାନୀଗୁଡ଼ିକୁ ସେମାନଙ୍କର ସିଷ୍ଟମ ଓ ସଫ୍ଟୱେର୍ ଅପଗ୍ରେଡ୍ କରିବା ପାଇଁ ଅଧିକ ସମୟ ମିଳିବ।
ବିଭିନ୍ନ ଖୁଚୁରା ବ୍ୟବସାୟୀ ସଙ୍ଘ ଏହି ନୂଆ ଚାର୍ଜକୁ ବିରୋଧ କରୁଥିଲେ। ତେବେ କଣ ରହିଥିଲା ପ୍ରସ୍ତାବିତ MDR ନିୟମ ? ଏହି MDR ଶୁଳ୍କ କେବଳ ବ୍ୟବସାୟୀ ବା ଦୋକାନୀମାନେ ଦେବେ। ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ବ୍ୟବସାୟୀଙ୍କୁ କରାଯାଉଥିବା ୨ ହଜାରରୁ ଅଧିକ ଟଙ୍କାର ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ ହେବ।
ଏହି ଶୁଳ୍କ ପ୍ରତି କାରବାର ପିଛା ସର୍ବାଧିକ ୩୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ। ୨ ହଜାର ଟଙ୍କା ପର୍ଯ୍ୟନ୍ତ ସମସ୍ତ ୟୁପିଆଇ କାରବାର ଉପରେ କୌଣସି ଚାର୍ଜ ଲାଗିବ ନାହିଁ। ପ୍ରାୟ ୯୬ ପ୍ରତିଶତ ବ୍ୟବସାୟିକ କାରବାର ଏହି ପରିସରଭୁକ୍ତ। ଗ୍ରାହକ ଜଣେ ସାଧାରଣ ୟୁପିଆଇ ବ୍ୟବହାରକାରୀ ଭାବରେ ପୂର୍ବଭଳି ସମ୍ପୂର୍ଣ୍ଣ ମାଗଣାରେ ଗୁଗଲ୍ ପେ, ଫୋନ୍ ପେ କିମ୍ବା ପେଟିଏମ୍ ବ୍ୟବହାର କରିପାରିବେ।
ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ UPI ରେ ଟଙ୍କା ପଠାଇଲେ କୌଣସି ଚାର୍ଜ କଟିବ ନାହିଁ, ତାହା ୨ହଜାରରୁ ଅଧିକ ହେଲେ ମଧ୍ୟ ସମ୍ପୂର୍ଣ୍ଣ ମାଗଣା ରହିବ। ସରକାର କିମ୍ବା NPCI ପକ୍ଷରୁ ଏହି ଘୁଞ୍ଚାଇବା ନିଷ୍ପତ୍ତି ଉପରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଆଗାମୀ କିଛି ଦିନ ମଧ୍ୟରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରେ।

