ବଡ଼ ବଡ଼ ଅଟ୍ଟାଳିକା ହେଉ କି ମଲ୍, ସେଠାରେ ଉପର ମହଲାକୁ ଯିବାକୁ ଲିଫ୍ଟର ବ୍ୟବସ୍ଥା ହୋଇଥାଏ । ଏହି ଲିଫ୍ଟ କ୍ଷଣିକରେ ଆମକୁ ଗ୍ରାଉଣ୍ଡ ଫ୍ଲୋରରୁ ଉପର ମହଲାକୁ ନେଇଯାଏ । ଆପଣ ବି ଲିଫ୍ଟର ବ୍ୟବହାର ନିଶ୍ଚିତ କରିଥିବେ ଓ ସେଥିରେ ଯିବା ସମୟରେ ଦର୍ପଣ ବା ମିରର୍ ଦେଖି ନିଜର କେଶ ସଜାଡ଼ିଥିବେ । ତେବେ ଆପଣ କେବେ ଭାବିଛନ୍ତି କି ଲିଫ୍ଟରେ କାହିଁକି ଥାଏ ଆଇନା ? ସେଠାରେ ମିରର୍ ରହିବାର ଆବଶ୍ୟକତା କାହିଁକି ପଡ଼ିଲା ?
ଇଞ୍ଜିନିୟର ଏବଂ ଲିଫ୍ଟ ନିର୍ମାତାମାନେ ଏହି ଡିଜାଇନ୍ ବହୁତ ଯତ୍ନର ସହିତ ପ୍ରସ୍ତୁତ କରିଛନ୍ତି । ଶିଳ୍ପ ବିପ୍ଳବ ସମୟରେ ଉଚ୍ଚ କୋଠା ନିର୍ମାଣ ଆରମ୍ଭ ହୋଇଥିଲା । କୋଠାଗୁଡ଼ିକ ଉଚ୍ଚ ହେବା ସହିତ ଲିଫ୍ଟର ଆବଶ୍ୟକତା ପଡ଼ିଥିଲା । କିନ୍ତୁ ଯେତେବେଳେ ଲୋକମାନେ ଉପର ମହଲାକୁ ଲିଫ୍ଟରେ ଯିବା ଆରମ୍ଭ କଲେ, ସେମାନେ ଅନୁଭବ କଲେ ଯେ ସେମାନେ ବହୁତ ସମୟ ନଷ୍ଟ କରୁଛନ୍ତି । ଲୋକମାନେ କହିଥିଲେ ଯେ ଲିଫ୍ଟଗୁଡ଼ିକ ବହୁତ ଧୀରେ ଚାଲୁଛି, ଯାହା ସେମାନଙ୍କର ସମୟକୁ ନଷ୍ଟ କରୁଛି ।
ଏପରିକି ଅନେକ ଲୋକ ଲିଫ୍ଟରେ ଯିବା ସମୟରେ ଭୟ ମଧ୍ୟ ପ୍ରକାଶ କରିଥିଲେ । ସେମାନେ ଭାବିଥିଲେ ଯେ ଲିଫ୍ଟଟି ଭାଙ୍ଗି ପଡ଼ିପାରେ କିମ୍ବା ଦୁର୍ଘଟଣା ଘଟାଇପାରେ । ଏହାପର ନିର୍ମାଣ କମ୍ପାନୀ ଏବଂ ଲିଫ୍ଟ ବିଶେଷଜ୍ଞମାନେ ସମସ୍ୟାର ସମାଧାନ କରିବା ଲାଗି ଚିନ୍ତା କରିଥିଲେ । ଲିଫ୍ଟର ଗତି କିପରି ବୃଦ୍ଧି କରିବେ ଏବଂ ଭୟକୁ କିପରି ଦୂର କରିବେ ସେ ବିଷୟରେ ସେମାନେ ଚିନ୍ତିତ ହୋଇଥିଲେ । ତା’ପରେ ଜଣେ ଜ୍ଞାନୀ ବ୍ୟକ୍ତି ବୁଝାଇଲେ ଯେ ଲିଫ୍ଟଗୁଡ଼ିକ ଧୀର ନୁହେଁ; ଲୋକମାନେ କେବଳ ଭାବନ୍ତି ଯେ ସେମାନେ ଲିଫ୍ଟରେ ଯିବା ସମୟରେ ଧୀରେ ଯାଉଛନ୍ତି । ତା’ପରେ ସେହି ଜ୍ଞାନୀ ବ୍ୟକ୍ତି ଜଣକ ଲିଫ୍ଟରେ ଆଇନା ଲଗାଇବାକୁ ଆଇଡିଆ ଦେଇଥିଲେ ।
