ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ୍ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ପିକ୍ଅପ୍ ଗାଡ଼ି ଡିଭାଇଡରରେ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାଟି ଖେକଡ଼ା ଥାନା ଅଧୀନ ବଡ଼ାଗାଁ କଟ୍ ନିକଟରେ ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ଘଟିଥିଲା । ସୂଚନା ପାଇବା ପରେ ପୋଲିସ, ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଖବର ମୁତାବକ, ଗାଡ଼ିରେ ଥିବା ଶ୍ରଦ୍ଧାଳୁମାନେ ରାଜସ୍ଥାନରୁ ଉତ୍ତରପ୍ରଦେଶର ବଦାୟୁଁ ଅଭିମୁଖେ ଯାଉଥିଲେ । ତେବେ ବଡ଼ାଗାଁ କଟ୍ ନିକଟରେ ଗାଡ଼ିଟି ହଠାତ୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ଧକ୍କା ଦେଇଥିଲା । ଧକ୍କା ପରେ ଗାଡ଼ିଟି ଓଲଟି ପଡ଼ିବାରୁ ଏଥିରେ ଥିବା ଯାତ୍ରୀମାନେ ଫସି ଯାଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକମାନଙ୍କ ଚିତ୍କାର ଶୁଣାଯାଇଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରେ ଫସିଥିବା ଲୋକଙ୍କୁ ବାହାର କରାଯାଇଥିଲା ।
ଏହି ଦୁର୍ଘଟଣା ଖେକଡ଼ା ଥାନା ଅଞ୍ଚଳର ବଡ଼ାଗାଁ କଟ୍ ନିକଟରେ ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ଘଟିଥିଲା । ଦୁର୍ଘଟଣାର ସୂଚନା ପୋଲିସକୁ ମିଳିବା ପରେ ଖେକଡ଼ା ଥାନା ପୋଲିସ ସହିତ ୪ଟି ପିଆରଭି ଓ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତମାନଙ୍କୁ ତୁରନ୍ତ ସିଏଚ୍ସି ଖେକଡ଼ା, ସିଏଚ୍ସି ବାଗପତ ଓ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛନ୍ତି ।
ଘଟଣା ପରେ ପୋଲିସ ଏକ୍ସପ୍ରେସ୍ୱେରେ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକ ଓ ଆହତଙ୍କ ପରିଚୟ ନିର୍ଣ୍ଣୟ ସହ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ ପାଇଁ ପୋଲିସ ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର ୯୪୫୪୪୧୭୩୮୩ ଜାରି କରାଯାଇଛି ।

