ରାଜଧାନୀ ଉପକଣ୍ଠ କୁଆଖାଇ ବ୍ରିଜ୍ରେ ଅମାନବୀୟ ତଥା ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ଏକ ହାଇୱା ଟ୍ରକ୍ ଏକ ଛୋଟ କାର୍କୁ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କୁଆଖାଇ ବ୍ରିଜ୍ ଉପରେ ଭୁବନେଶ୍ୱର ଆଡ଼କୁ ଆସୁଥିବା ଏକ ହାଇୱା ଟ୍ରକ୍ ଆଗରେ ଯାଉଥିବା ଏକ ମାରୁତି କାର୍କୁ ପଛରୁ ଧକ୍କା ଦେଇଥିଲା। ଧକ୍କା ପରେ କାର୍ଟି ଟ୍ରକ୍ ଆଗ ବମ୍ପରରେ ଫସି ଯାଇଥିଲା। କିନ୍ତୁ ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇବା ବଦଳରେ ସ୍ପିଡ୍ ବଢ଼ାଇ କାର୍କୁ ଘୋଷାଡି ନେଇଥିଲା। ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଟ୍ରକ୍ କାର୍କୁ ଘୋଷାଡି ନେବା ପରେ ଅନ୍ୟ ଯାନବାହନ ଚାଳକମାନେ ଚିତ୍କାର କରିବାରୁ ଡ୍ରାଇଭର ଗାଡ଼ି ଅଟକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଭାଇରାଲ୍ ଭିଡିଓରେ ଦେଖାଯାଉଛି, କାର୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି ଏବଂ ରାସ୍ତାରେ ନିଆଁ ଝଲକ ବାହାରୁଛି। ସୌଭାଗ୍ୟବଶତଃ କାର୍ ଭିତରେ ଥିବା ୨ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରିଛନ୍ତି। ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
