ଶେଷ ହୋଇଛି ରାଜ୍ୟ ମନ୍ତ୍ରିମଣ୍ଡଳର ୪୮ତମ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ବିଭାଗର ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଓଡ଼ିଶା ପ୍ରତି ତାଙ୍କର ଗୁରୁତ୍ୱକୁ ନେଇ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ଅନ୍ୟ ସମସ୍ତ ପ୍ରସ୍ତାବର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ୨ଟି, ଶିଳ୍ପ ବିଭାଗର ୧ଟି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୧ଟି, ଅର୍ଥ ବିଭାଗର ୧ଟି, ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧ଟି, ଜଳ ସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩ଟି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧ଟି ଏବଂ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନର ସତ୍ରାବସାନ (ସଂସଦୀୟ ବ୍ୟାପାର)ସମ୍ପର୍କିତ ରହିଥିଲା । ଏହିପରି ମୋଟ ୧୧ଟି ବିଭାଗର ୧୬ ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ l
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ଷ ବର୍ଷ ଧରି ଦେଶ ପାଇଁ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଉଛନ୍ତି । ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସେ କହିଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପକୁ ସାକାର କରିବା ଦିଗରେ ପ୍ରଧାନମନ୍ତ୍ରୀ ନେଉଥିବା ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି।
ମୋହନ ମାଝୀଙ୍କ କହିବା ଅନୁଯାୟୀ, ୨୦୧୪ ପରଠାରୁ ଭାରତରେ ଅନେକ ପରିବର୍ତ୍ତନ ହୋଇଛି ଏବଂ ବହୁ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। କୋଭିଡ୍ ମହାମାରୀ, ବିଶ୍ୱ ବଜାରର ମାନ୍ଦାବସ୍ଥା ଓ ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ମୋଦୀ ଦେଶର ପରିଚାଳନା କରିଥିବା ସେ କହିଛନ୍ତି।
ଓଡ଼ିଶାର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ
ଓଡ଼ିଶାର ବିକାଶରେ କେନ୍ଦ୍ର ସରକାରଙ୍କ ଅବଦାନକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୨ ବର୍ଷ ୩ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ୮ ଥର ଓଡ଼ିଶା ଗସ୍ତ କରିଛନ୍ତି। ତାଙ୍କର ପୂର୍ବୋଦୟ ପରିକଳ୍ପନା ଅନୁଯାୟୀ ରାଜ୍ୟର ବିକାଶ ଆଗକୁ ବଢ଼ୁଛି। ୨୦୧୪ ପରଠାରୁ ରାଜ୍ୟରେ ୨ ହଜାର କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ ହୋଇଥିବା ସେ ଦାବି କରିଛନ୍ତି।
ରେଳ ଭିତ୍ତିଭୂମିର ବିକାଶକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନଥିବା ବେଳେ ଏବେ ଏହା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏଥିସହ ୧୭ଟି ଜିଲ୍ଲାକୁ ୨୫ଟି ଷ୍ଟପେଜ୍ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସ୍ ସଂଯୋଗ କରୁଥିବା ସେ କହିଛନ୍ତି। ରେଳ, ସ୍ଥଳ ଓ ଆକାଶ ପଥରେ ଯାତାୟାତ ସୁବିଧାରେ ଉନ୍ନତି ହୋଇଥିବାର ସମସ୍ତ ଶ୍ରେୟ ସେ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି।
ଡବଲ୍ ଇଞ୍ଜିନ ସରକାରର ଲାଭ ପାଉଛନ୍ତି ଲୋକେ
ଡବଲ୍ ଇଞ୍ଜିନ ସରକାର ଯୋଗୁଁ ରାଜ୍ୟବାସୀ ବିଭିନ୍ନ ସୁବିଧା ପାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ଖଣିଜ ସମ୍ପଦ, ଜଳ ଓ କୋଇଲାର ସଠିକ୍ ବିନିଯୋଗ ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ ଉଲ୍ଲେଖ କରିଛନ୍ତି। ଏଥିସହ ସେମିକଣ୍ଡକ୍ଟର କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ଆଗୁଆ ରହିଥିବା ମଧ୍ୟ କହିଛନ୍ତି।
ଓଡ଼ିଶାର ୨୦୩୬ ଓ ଦେଶର ୨୦୪୭ ବିକାଶ ଲକ୍ଷ୍ୟକୁ ପ୍ରଧାନମନ୍ତ୍ରୀ ପସନ୍ଦ କରିଥିବା ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ରାଜ୍ୟର ବିକାଶ ପାଇଁ କେନ୍ଦ୍ରର ସହଯୋଗ ଓ ନିବେଶକୁ ଗୁରୁତ୍ୱ ଦେଇ ସେ କହିଛନ୍ତି, ଆଗାମୀ ଦିନରେ ଓଡ଼ିଶା ଆହୁରି ଆଗକୁ ଯିବ।
