ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜାରି ରହିଛି। ଲଗାତାର ଭାବେ ତାତି ବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ତାତିକୁ ଦୃଷ୍ଟିରେ ରଖି ରାଜ୍ୟର ଏକାଧିକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଯାଇଥିବା ବେଳେ ତାତିର ପ୍ରଭାବ ଅନ୍ୟ କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପକାଇବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୮ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଝାରସୁଗୁଡ଼ାରେ ତାତି ୪୩ ଡିଗ୍ରୀ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ ହେବା ସହ ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ଓ ଦେଶର ପଞ୍ଚମ ଉତ୍ତପ୍ତ ସହର ପାଲଟିଛି। ଝାରସୁଗୁଡ଼ା ତଳକୁ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ଓ ସମ୍ବଲପୁରରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ବଲାଙ୍ଗିର ୪୨.୨ ଏବଂ ଅନୁଗୋଳରେ ୪୨.୧ ଡିଗ୍ରୀ ରେକର୍ଡ ହୋଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ତାତି ଓ ଗୁୁଳୁଗୁଳିରୁ ନିସ୍ତାର ମିଳିବାର ସମ୍ଭାବନା କମ୍ ରହିଛି। ଯଦିଓ ଏହି ସମୟରେ କିଛି କିଛି ସ୍ଥାନରେ କାଁ ଭାଁ କାଳବୈଶାଖୀ ଆଶଙ୍କା ରହିଛି, ମାତ୍ର ତାପମାତ୍ରା ହ୍ରାସ କରିବାରେ ଏହା ବିଶେଷ ସହାୟକ ହେବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ, ବୁଧବାର ଅଧିକାଂଶ ଉପକୂଳବର୍ତ୍ତୀ ସ୍ଥାନରେ ଗୁଳୁଗୁଳିର ପ୍ରକୋପ ଅଧିକ ରହିବାକୁ ଥିବା ବେଳେ ଶୁକ୍ରବାରଠାରୁ ତାତିର ପରିମାଣ ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏଥିପାଇଁ ଶୁକ୍ରବାରଠାରୁ ୨୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟ୍ୱେଭ୍ ଆଲର୍ଟ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ବିଶେଷକରି ଟିଟିଲାଗଡ଼, ବଲାଙ୍ଗିର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୫ଡିଗ୍ରୀ ଛୁଇଁବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆଜି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ଜିଲ୍ଲାଗୁଡ଼ିକରେ ଉଷ୍ଣ ଆର୍ଦ୍ର ପାଣିପାଗ ଆଶଙ୍କା ସହ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ, ଅପରାହ୍ଣ ପରେ ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ହାଲୁକା ବର୍ଷା ଏବଂ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
