ମହାନଦୀ ଜଳ ବିବାଦ ମାମଲା। ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ଶୁଣାଣି। ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ ହେବ। ଟ୍ରିବ୍ୟୁନାଲ୍ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ଶେଷ ହେବାକୁ ଯାଉଛି। ଓଡ଼ିଶା ଏବଂ ଛତିଶଗଡ଼ ଟ୍ରିବ୍ୟୁନାଲ୍ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି। ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟ ହୋଇନଥିଲା। ଯେଉଁଥିପାଇଁ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି ବୋଲି AG ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି।
ବିଜେଡିର ଟାର୍ଗେଟ୍
ସରକାରଙ୍କ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ ଆବେଦନ ବିଳମ୍ବିତ ବୋଲି ବିଜେଡି ଅଭିଯୋଗ ଆଣିଛି। କାରଣ ପୂର୍ବରୁ ଟ୍ରିବ୍ୟୁନାଲ ଉଭୟ ରାଜ୍ୟ ସରକାରଙ୍କୁ କାର୍ଯ୍ୟକାଳ ବୃଦ୍ଧି ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଓଡ଼ିଶା ସରକାର ଠିକ୍ ସମୟରେ ଆବେଦନ କଲେ ନାହିଁ। ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏନେଇ ରାଜସ୍ଵ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ ଯଦି ବିଧାନସଭାରେ କହିଥିଲେ ତେବେ ସେ ତଥ୍ୟ ସରକାର ଗୃହରେ ଉପସ୍ଥାପନ କରନ୍ତୁ । କିଏ ଆହ୍ଵାନ କଲେ ହିଁ ବିଧାନସଭାରେ ଆଲୋଚନା ହେବ ସେ ପରମ୍ପରା ନାହିଁ। ବିଧାନସଭାରେ ନିଶ୍ଚିତ ଆଲୋଚନା ହେବ। ସରକାର ବି ଓଡିଶାବାସୀଙ୍କୁ ଉତ୍ତର ଦେବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଆଜି ପର୍ଯ୍ୟନ୍ତ ଏ ପ୍ରକାର ଜଳ ବିବାଦ ଟ୍ରିବ୍ୟୁନାଲ ମାଧ୍ୟମରେ ହିଁ ସମାଧାନ ହୋଇଛି । ବିଜେଡିର ଜାଣିବାରେ ଆପୋଷ ଆଲୋଚନାରେ ସମାଧାନର କୌଣସି ଉଦାହରଣ ନାହିଁ । ତେଣୁ ଟ୍ରିବ୍ୟୁନାଲ କାର୍ଯ୍ୟ ତ୍ୱରାନିତ କରିବାକୁ ରାଜ୍ୟ ସରକାର ସହଯୋଗ କରନ୍ତୁ ।