ଓରାଙ୍ଗଉଟାଙ୍ଗଙ୍କୁ ନେଇ ଆସିଲା ବଡ଼ ଖବର। ଖୁବଶୀଘ୍ର ସେମାନଙ୍କର DNA ଟେଷ୍ଟ କରାଯିବ। ଓରାଙ୍ଗଉଟାଙ୍ଗଙ୍କ DNA ପରୀକ୍ଷା ପାଇଁ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। ଖୁବଶୀଘ୍ର ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ
DNA ଟେଷ୍ଟ ରିପୋର୍ଟ ଆସିବା ପରେ ନନ୍ଦନକାନନରେ ଥିବା ଓରାଙ୍ଗଉଟାଙ୍ଗମାନେ କେଉଁ ଦେଶରୁ ଆସିଛନ୍ତି, ସେନେଇ ଅଧିକ ସ୍ପଷ୍ଟତା ମିଳିପାରିବ। ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ଭାରତ ସରକାରଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି।
ଓରାଙ୍ଗଉଟାଙ୍ଗଙ୍କ ସ୍ୱାସ୍ଥ୍ୟ ନେଇ ବଡ଼ ସୂଚନା
ଏପଟେ ନନ୍ଦନକାନନରେ ଥିବା ଓରାଙ୍ଗଉଟାଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମଧ୍ୟ ଆସିଛି ଆଶ୍ୱସ୍ତିକର ଖବର। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ୍ୱର ରାମ ସିଂ ଖୁଣ୍ଟିଆ। ଓଡ଼ିଶାର ଜଳବାୟୁ ଓରାଙ୍ଗଉଟାଙ୍ଗଙ୍କୁ ସୁହାଇଥିବା ସେ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓରାଙ୍ଗଉଟାଙ୍ଗଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଉଛି। ମହୀଶୂରରୁ ଡାକ୍ତର ଆସି ସେମାନଙ୍କ ଚିକିତ୍ସା କରୁଛନ୍ତି। ଛୁଆଙ୍କ ଭଳି ସେମାନଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି। ଏଥିସହ ୨୪ ଘଣ୍ଟିଆ ମନିଟରିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।

