ସଂଚାର ବ୍ୟୁରୋ: ଶୂନ୍ୟକାଳରେ ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତି ସରକାରଙ୍କ ଅବହେଳାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କର ଆଜି ୧୨୫ତମ ଜୟନ୍ତୀ । କିନ୍ତୁ ସରକାର ଏହାକୁ ବର୍ଷ ତମାମ ପାଳନ କରିପାରିଥାନ୍ତେ । ହେଲେ ସରକାରଙ୍କ ଏଥିପ୍ରତି ଉଦାସୀନତା ଦୁଃଖ ଦେଇଛି ବୋଲି କହିଛନ୍ତି ପ୍ରସନ୍ନ । ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ରମାଦେବୀଙ୍କର ଜୟନ୍ତୀ ବର୍ଷ ତମାମ ପାଳନ ହେବ ବୋଲି ଘୋଷଣା କରିଥିଲେ । କିନ୍ତୁ ସେ ତାଙ୍କ କଥା ରଖିନାହାଁନ୍ତି । କଂଗ୍ରେସର ଆନ୍ଦୋଳନରେ ରମାଦେବୀ ସାମିଲ ଥିଲେ ବୋଲି ସରକାର ତାଙ୍କ ଜୟନ୍ତୀ ବର୍ଷ ତମାମ ପାଳିବା ପାଇଁ ନିଷ୍ପତ୍ତି ନେଇନାହାଁନ୍ତି ବୋଲି ସେ ଶୁଣିବାକୁ ପାଇଛନ୍ତି ବୋଲି କହିଛନ୍ତି ।
ଇତିହାସକୁ ଭୁଲି ଗଲେ ଜାତି ଆଗକୁ ବଢ଼ି ପରିବନାହିଁ। ୧୨୫ତମ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଚାଲିଥିବା ସତ୍ତ୍ବେ ସରକାର ତାକୁ ମଧ୍ଯ ଭୁଲି ଯାଇଛନ୍ତି । ପାର୍ବତୀଗିରିଙ୍କୁ ମଧ୍ୟ ଭୁଲିଯିବା ଠିକ୍ ନୁହେଁ । ତାଙ୍କ ଜନ୍ମ ଦିନ ବି ଜାନୁଆରୀରେ ଆସିବାକୁ ଯାଉଛି । ସରକାର ପାଳିବାର ଆବଶ୍ୟକ ରହିଛି । ଆଜି ସନ୍ଧ୍ୟାରେ ରମାଦେବୀଙ୍କ ଜୟନ୍ତୀ କଳିଙ୍ଗ ଷ୍ଟାଡିୟମରେ ପାଳିବାକୁ ସରକାର ନିଷ୍ପତ୍ତି ନେବାକୁ ସେ ଗ୍ରହଣ କରିପାରୁନାହାଁନ୍ତି ବୋଲି କହିଛନ୍ତି । କାହିଁକି ନା ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ ଭଳି ସ୍ଥାନ କଣ ସରକାରଙ୍କୁ ମିଳିଲା ନାହିଁ ଯେ କଳିଙ୍ଗ ଷ୍ଟାଡିୟମରେ ପାଳନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ରମାଦେବୀଙ୍କ ଜୟନ୍ତୀ ପାଳନ କରିବାକୁ ସରକାର ଭୁଲି ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଏହାକୁ ବର୍ଷେ ବ୍ୟାପୀ ପାଳନ କରିବାକୁ ଆଜି ହିଁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପ୍ରମିଳା ଦାବି କରିଛନ୍ତି । ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଏ ପ୍ରସଙ୍ଗ ଉଠାଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଅସ୍ମିତା କହି ସରକାରଙ୍କୁ ଆସିଥିବା ବିଜେପି ସରକାର ଓଡ଼ିଆ ଅସ୍ମିତାର ପ୍ରତୀକଙ୍କୁ ଭୁଲି ନଯିବା ଦରକାର ବୋଲି ଅରୁଣ କହିଛନ୍ତି । ସେହିପରି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ ରମାଦେବୀ ଓଡ଼ିଶାର ମା ବୋଲି ପରିଚିତ ।
ତାଙ୍କୁ ସରକାର ଭୁଲି ଯିବା ଦୁର୍ଭାଗ୍ୟଜନକ। ରମାଦେବୀ, ହରେକୃଷ୍ଣ ମହତାବଙ୍କ ପରି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗୃହରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଦାବି କରିଛନ୍ତି । ବିଜେଡିର ପ୍ରଶ୍ନର ଉତ୍ତର ଦେଇଛି ବିଜେପି । ରମାଦେବୀଙ୍କ ଜୟନ୍ତୀ ବର୍ଷତମାମ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସନ୍ଧ୍ୟାରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ପାଳନ ହେବ । ତାଙ୍କ ବଳିଦାନ ଉପରେ ବି ପୁସ୍ତକ ବଣ୍ଟନ ହେବ। ଫଟୋ ପ୍ରଦର୍ଶନୀ ସହ ନାଟକ ମଧ୍ୟ ପରିବେଷଣ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଈରାଶିଷ ଆଚାର୍ଯ୍ୟ କହିଛନ୍ତି ।.. ..
ସେପଟେ ରମାଦେବୀଙ୍କ ଜୟନ୍ତୀ ପାଳନକୁ ନେଇ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପସିତା ସାହୁ ମଧ୍ୟ ବର୍ଷିଛନ୍ତି। ଟେନିସ ଗ୍ରାଉଣ୍ଡରେ ଜୟନ୍ତୀ ପାଳନ ରମାଦେବୀଙ୍କ ପ୍ରତି ସମ୍ମାନ ନୁହେଁ, ବରଂ ଅସମ୍ମାନ। କାହିଁକି ଏମିତି ଅସମ୍ମାନ କରାଯାଉଛି। ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟରରେ ବି ରହିଛି ଅଡିଟୋରିୟମ I ହେଲେ ସେଠାରେ ବିଭିନ୍ନ ଇଭେଣ୍ଟ କମ୍ପାନୀ ଅନେକ ପୋଗ୍ରାମ କରୁଛନ୍ତି। ହେଲେ ରମାଦେବୀଙ୍କ ଜନ୍ମ ଜୟନ୍ତୀ ଟେନିସ ଗ୍ରାଉଣ୍ଡରେ କରାଯାଉଛି। ଏହା କିପରି ଓଡ଼ିଆ ଅସ୍ମିତା କହି ବର୍ଷିଛନ୍ତି ଇପସିତା ସାହୁ।

