ବାତ୍ୟା ଆସୁଛି… ୧୨ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବା ଆଶଙ୍କା ରହିଛି । ଗୋଟିଏ ପଟେ ବଙ୍ଗୋପସାଗରରେ ଅବପାତ ତ ଅନ୍ୟପଟେ ଆରବ ସାଗରରେ ଗଭୀର ଅବପାତ । ସମୁଦ୍ରରେ ଦୁଇ ଦୁଇଟି ସିଷ୍ଟମ ସକ୍ରିୟ ରହିଥିବା ବେଳେ ଚଳିତ ବାତ୍ୟା ଋତୁରେ ଆରବ ସାଗରରେ ପ୍ରଥମ ବାତ୍ୟା ଆଶଙ୍କା ରହିଛି ।
ଉତ୍ତରପୂର୍ବ ଆରବ ସାଗରରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ଆଗାମୀ ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହୋଇପାରେ । ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସହ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା କରାଯାଉଛି ।
ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଆରବ ସାଗରରେ ଥିବା ଗଭୀର ଅବପାତଟି ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହା ଏବେ ଦ୍ଵାରକା ଠାରୁ ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ୨୪୦ କିମି ଏବଂ ପୋରବନ୍ଦର ଠାରୁ ପଶ୍ଚିମରେ ୨୭୦ କିମି ଦୂରରେ ରହିଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଗଭୀର ଅବପାତଟି ଆଗାମୀ ୧୨ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ । ତେବେ ଏହାର ଗତିପଥ କ’ଣ ରହିବ, ସ୍ଥଳଭାଗ ଛୁଇଁବ ନା ନାହିଁ । ସେନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ତଥ୍ୟ ବର୍ତ୍ତମାନ ଦେଇ ନାହିଁ ।
କିନ୍ତୁ ଏହାର ପ୍ରଭାବରେ ଆରବ ସାଗର ଅଶାନ୍ତ ରହିବ । ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିପାରେ । ଏହାଦ୍ଵାରା ଗୁଜରାଟ ଉପକୂଳ ସହ ଉତ୍ତର ମହାରାଷ୍ଟ୍ର ଉପକୂଳରେ ବର୍ଷା ଓ ପବନ ଲାଗି ରହିବ । ତେଣୁ ୬ ତାରିଖ ପର୍ଯ୍ୟନ୍ତ ଆରବ ସାଗରକୁ ମତ୍ସ୍ଯଜୀବୀଙ୍କୁ ବାରଣ କରାଯାଇଛି ।

