ସଂଚାର ବ୍ୟୁରୋ: ତାମିଲନାଡୁ କରୁରରେ ଦଳାଚକଟା ଘଟଣା I ତାମିଲଗା ଭେଟ୍ରି କାଜାଗମ ବା ଟିଭିକେର ଦିଲ୍ଲା ସମ୍ପାଦକ ମାଥେଝଗନଙ୍କୁ ଗିରଫ କରିଛି ତାମିଲନାଡୁ ପୋଲିସ I ଏହା ସହ ୟୁଟ୍ୟୁବର ଫେଲିକ୍ସ ଜେରାଲଡଙ୍କୁ ବି ଗିରଫ କରାଯାଇଛି। ୟୁଟ୍ୟୁବରେ ରେଡପିକ୍ସ ନାମରେ ଚାନେଲ ଚଳାଉଥିଲେ ଫେଲିକ୍ସ। ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିଲେ ୪୧ ଜଣ I ଆହତ ହୋଇଥିଲେ ପ୍ରାୟ ଶହେ ଜଣ I ଗତ ଶନିବାର ଘଟିଥିବା ଦଳାଚକଟା ଘଟଣାରେ ତାଙ୍କ ନାମରେ ରୁଜୁ ହୋଇଥିଲା ମାମଲା I ଏହି ଏଫଆଇଆରରେ ବିଜୟଙ୍କ ନାମ ନଥିବାବେଳେ କରୁର ଜିଲ୍ଲା ସଭାପତି ମାଥେଝଗନ, ରାଜ୍ୟ ସାଧାରଣ ସମ୍ପାଦକ ବୁସି ଏନ. ଆନନ୍ଦ ଏବଂ ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ସି.ଟି.ଆର ନିର୍ମଳ କୁମାରଙ୍କ ନାମ ଥିଲା I ଏହି ତିନିଜଣଙ୍କ ନାମରେ ବିଏନଏସର ଧାରା ୧୦୫, ୧୧୦, ୧୨୫, ୨୨୩ ସମେତ ତାମିଲନାଡୁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ନିରାକରଣ ଆଇନର ଧାରା ୩ ଲାଗୁ କରାଯାଇଛି I ସାଧାରଣ ସଭା ପୂର୍ବରୁ ଏହି ନେତାମାନଙ୍କ ଅବହେଳା ଯୋଗୁ ଦଳାଚକଟା ପରି ଅଭାବନୀୟ ଘଟଣା ଘଟିଲା ବୋଲି ଏଫଆଇଆରରେ କୁହାଯାଇଛି I ବହୁ ଲୋକଙ୍କ ସମାଗମ ହେବା ସତ୍ତ୍ବେ ନେତାମାନେ ସେଥିପ୍ରତି ଦୃଷ୍ଟି ଦେଇ ନଥିଲେ ବୋଲି ଅଭିଯୋଗ ହୋଇଛି I ଏହା ସହ ବିଜୟ ଜାଣିଶୁଣି ବିଳମ୍ବ କରିଥିଲେ ବୋଲି ଏଫଆଇଆରରେ କୁହାଯାଇଛି I