କୌଣସି ସରକାରୀ ବିଭାଗରେ ବ୍ୟବହାର ହେବନି ପୁରୁଣା ଗାଡ଼ି । ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡ଼ିକୁ ସ୍କ୍ରାପିଂ କରାଯିବ । ଏନେଇ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସମସ୍ତ ବିଭାଗର କମିଶନର ତଥା ସଚିବଙ୍କୁ ଚିଠି ଲେଖା ଯାଇଛି ।
ସେପ୍ଟେମ୍ବର ୨୨ରେ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି, ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ଗାଡ଼ିକୁ ସ୍କ୍ରାପ୍ କରାଯିବ । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାର ୧୫ ବର୍ଷରୁ ଅଧିକ ପୁରୁଣା ହୋଇଥିବା ପ୍ରାୟ ୪ ହଜାର ଗାଡ଼ିକୁ ସ୍କ୍ରାପ୍ କରିଛନ୍ତି । ଯେଉଁଥିରୁ ସରକାରଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ଵତନ୍ତ୍ର ସହାୟତା ଆକାରରେ ୩୦୦ କୋଟି ମିଳିଛି ।
ଏବେ ରାଜ୍ୟ ସରକାରଙ୍କ ପାଖରେ ୫ ହଜାରରୁ ଅଧିକ ଗାଡ଼ି ରହିଛି, ବାହାନ ପୋର୍ଟାଲ୍ ତଥ୍ୟ ଅନୁସାରେ ସେ ସବୁ ଗାଡ଼ି ୧୫ ବର୍ଷରୁ ଅଧିକ ପୁରୁଣା । ଉକ୍ତ ପୁରୁଣା ଗାଡ଼ି ଗୁଡ଼ିକୁ ସ୍କ୍ରାପ କରିବା ଲାଗି ଚିଠିରେ ଉଲ୍ଲେଖ କରିଛି ବାଣିଜ୍ୟ ଓ ପରିବହନ ବିଭାଗ । ପୁରୁଣା ଗାଡ଼ି ଗୁଡ଼ିକୁ ଅକ୍ଟୋବର ୧୫ ସୁଦ୍ଧା ସ୍କ୍ରାପିଂ କରାଯିବ।
ଏଥିପାଇଁ କ୍ଷେତ୍ର ଅଧିକାରୀଙ୍କୁ ବ୍ୟବସ୍ଥା କରିବାକୁ କୁହାଯାଇଛି । ସ୍କ୍ରାପିଂ ଗାଡ଼ି ବାବଦରେ ଅବଗତ କରିବାକୁ କୁହାଯାଇଛି । କେଉଁ ବିଭାଗ କେତେ ଗାଡ଼ି ସ୍କ୍ରାପିଂ କଲେ ତା’ର ଏକ ରିପୋର୍ଟ ପରିବହନ ବିଭାଗକୁ ପଠାଇବେ ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପଠାଇଲେ ଅର୍ଥ ମନ୍ତ୍ରଣାଳୟର ସହାୟତା ମିଳିବ।
ରାଜ୍ୟ ସରକାର ସ୍କ୍ରାପିଂ କରୁଥିବା ପୁରୁଣା ଗାଡ଼ି ଅନୁସାରେ ସ୍ଵତନ୍ତ୍ର ସହାୟତା ଦେଉଛନ୍ତି କେନ୍ଦ୍ର ସରକାର । ୨୦୨୫-୨୬ ବର୍ଷ ଲାଗି ଗାଡ଼ିର ସଂଖ୍ୟା ଅନୁସାରେ ସହାୟତା ମିଳିବ । ୫୦୦ଟି ଗାଡ଼ି ସ୍କ୍ରାପିଂ ହେଲେ ଗାଡ଼ି ପିଛା ୫୦ ହଜାର ମିଳିବ । ସେହିଭଳି ୬୦୦୦ରୁ ଅଧିକ ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ମିଳିବ ଦେଢ଼ ଲକ୍ଷ ଟଙ୍କା ।