ସଂଚାର ବ୍ୟୁରୋ: ଆଜି ଇଡିରେ ହାଜର ହୋଇପାରନ୍ତି ରିଲାଏନ୍ସ ଗୃପ ଅଧ୍ୟକ୍ଷ ଅନିଲ ଅମ୍ବାନୀ। ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ବାହାରିଲେ ଅନୀଲ ଅମ୍ବାନୀ। ୧୭ ହଜାର କୋଟିର ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଲୁକଆଉଟ୍ ସର୍କୁଲାର ଜାରି ହୋଇଥିଲା। ଆଜି ତାଙ୍କୁ ପଚରାଉଚରା କରିବାକୁ ସମନ ଜାରି କରିଥିଲା ଇଡି। ଅନିଲ ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀଗୁଡ଼ିକ ବିରୁଦ୍ଧରେ ପଞ୍ଜିକୃତ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ଏହି ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା।
ଅନିଲ ଅମ୍ବାନୀଙ୍କୁ ବିଦେଶ ଯାତ୍ରାରୁ ରୋକିବା ପାଇଁ ତାଙ୍କ ବିରୋଧରେ ଏହି ଲୁକଆଉଟ୍ ସର୍କୁଲାର ଜାରି ହୋଇଥିଲା। ଦିଲ୍ଲୀରେ ମାମଲା ରୁଜୁ ହୋଇଥିବାରୁ ଅନିଲଙ୍କୁ ଦିଲ୍ଲୀସ୍ଥିତ ED ମୁଖ୍ୟାଳୟକୁ ଡକାଯାଇଛି। ତାଙ୍କ ଗ୍ରୁପ୍ କମ୍ପାନୀଗୁଡ଼ିକର କିଛି ଅଧିକାରୀଙ୍କୁ ମଧ୍ୟ ଆଗାମୀ କିଛି ଦିନ ମଧ୍ୟରେ ହାଜର ହେବାକୁ କୁହାଯାଇଛି। କିଛି ଦିନ ତଳେ ଇଡି ୫୦ଟି କମ୍ପାନୀର ୨୫ ଜଣଙ୍କ ଉପରେ ଚଢାଉ କରିଥିଲା। ୨୪ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ଚଢାଉ ତିନି ଦିନ ଧରି ଚାଲିଥିଲା। ୧୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆର୍ଥିକ ଅନିୟମିତତା ଏବଂ ସାମୂହିକ ଋଣର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରିଲାଏନ୍ସ ଇନଫ୍ରା ସମେତ ଅନିଲ ଅମ୍ବାନୀ ଅନେକ କମ୍ପାନୀ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।