ସଂଚାର ବ୍ୟୁରୋ: ମାନବିକତା ହରାଇଲେ ପୋଲିସ ଅଧିକାରୀ। କପ୍ତିପଦା ଥାନାର ପୂର୍ବତନ ଆଇଆଇସି ପ୍ରକାଶ ରଥଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ। ଜଣେ କର୍କଟ ରୋଗରେ ଆକ୍ରାନ୍ତ ବ୍ୟବସାୟୀଙ୍କ ବାଦାମ ଗାଡିକୁ ଅଟକାଇ ଲାଞ୍ଚ ମାଗିଲେ, ଲାଞ୍ଚ ନେଲେ, ହେଲେ ଛାଡିଲେ ନାହିଁ ବାଦାମ। ଗୋଦାମରେ ପକାଇ କରିଲେ ନଷ୍ଟ। ବହୁବନ୍ଧ ଗ୍ରାମର ବ୍ୟବସାୟୀ ବିଶେଶ୍ୱର ବିଶ୍ୱାଳ ଗତ ଜାନୁଆରୀ ମାସରେ ବାଲେଶ୍ୱରରୁ ବାଦାମ ନେଇ ଠାକୁରମୁଣ୍ଡା ଯାଉଥିବା ବେଳେ ନୁଦଡିହା ଫାଣ୍ଡି ପୋଲିସ ବାଦାମ ଗାଡି ଅଟକାଇବା ପରେ କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥ ଉକ୍ତ ବାଦାମ ଗାଡିକୁ କପ୍ତିପଦା ଥାନାକୁ ନେଇଥିଲେ। କପ୍ତିପଦା ଥାନାରେ ଗାଡି ଅଟକ ରଖିବା ପରେ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ସମସ୍ତ କାଗଜପତ୍ର ଠିକ ଥିବା ଯାଞ୍ଚ କରିବା ପରେ ମଧ୍ୟ ବାଦାମ ବୋଝେଇ ଗାଡିକୁ ଛାଡି ନ ଥିଲେ।
ବରଂ କ୍ୟାନ୍ସର ପୀଡିତ ବିଶେଶ୍ୱରଙ୍କୁ ବାରମ୍ବାର ଥାନା ଦଉଡ଼ାଇଥିଲେ। ଶେଷରେ ଗାଡି ଛାଡ଼ିବା ପାଇଁ ୧୫ ହଜାର ଲାଞ୍ଚ ମାଗିଥିଲେ ଏବଂ ଜଣେ ମଧ୍ୟସ୍ଥି ମାଧ୍ୟମରେ ୧୫ ହଜାର ଟଙ୍କା ମଧ୍ୟ ନେଇଛନ୍ତି। ଟଙ୍କା ନେବା ପରେ ବାଦାମ ବୋଝେଇ ଗାଡିକୁ ଛାଡି ଦେଇଥିବା ବେଳେ ବାଦାମ ବସ୍ତା ଗୁଡିକୁ ଜଣେ ବେପାରୀଙ୍କ ଗୋଦାମରେ ଷ୍ଟକ ରଖିଥିଲେ ପୂର୍ବତନ ଆଇଆଇସି ପ୍ରକାଶ ରଥ। ଯାହାକି ସେଠାରେ ପଡି ରହି ୨ ମାସ ଭିତରେ ବାଦାମ ଗୁଡିକ ନଷ୍ଟ ହୋଇଗଲାଣି, ଯାହାର ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ ହେବ। ସେପଟେ ବାରମ୍ବାର ଥାନା ଦୌଡ଼ି ନୟାନ୍ତ ହେବା ପରେ ଏ ନେଇ ଫୋନ ଯୋଗେ ଏସପିଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ଯାହା ବାବଦରେ ଏସଡିପିଓଙ୍କୁ ମଧ୍ୟ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ତଦନ୍ତ ହୋଇ ନାହିଁ। କେବଳ ସେତିକି ନୁହେଁ ଜବତ ବାଦାମ ବସ୍ତା ଛାଡ଼ିବା ପାଇଁ ଆହୁରି ୫୦ ହଜାର ଟଙ୍କା ଆଇଆଇସି ପ୍ରକାଶ ରଥ ମାଗିଥିବା କହିଛନ୍ତି କ୍ୟାନ୍ସର ପୀଡିତ ବ୍ୟବସାୟୀ ବିଶେଶ୍ୱର ବିଶ୍ୱାଳ। ସେ ପଟେ ଘଟଣା ବାବଦରେ ଏସଡିପିଓଙ୍କୁ ପଚାରିବାରୁ ଏସପିଙ୍କ ସହିତ କଣ ଆଲୋଚନା ହୋଇଛି ତାହା କହିବେ ନାହିଁ ବୋଲି କହିଛନ୍ତି।