ବର୍ଷ ୨୦୨୫ ପ୍ରାରମ୍ଭରେ ସନ୍ଧ୍ୟା ଆକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ବିରଳ ଦୃଶ୍ୟ ଜାନୁଆରୀ ୨୧ଠାରୁ ଆକାଶରେ ଦୃଶ୍ୟମାନ ହୋଇଥିଲା । ଗୋଟିଏ ସରଳରେଖାରେ ଏକାଧିକ ଗ୍ରହ ଦିଶୁଥିବାରୁ ଏହାକୁ ପ୍ଲାନେଟୋରୀ ପରେଡ୍ ବୋଲି କୁହାଯାଉଛି । ଏହି ବିରଳ ଘଟଣାର ଶେଷ ଭାଗରେ ଅର୍ଥାତ ଆଜି ଆଉ ଏକ ଗ୍ରହ ଯୋଗଦେବାକୁ ଯାଉଛି । ଆଜି ସନ୍ଧ୍ୟା ହେବା ମାତ୍ରେ ଆକାଶରେ ଗୋଟିଏ ରେଖାରେ ୭ଟି ଗ୍ରହ ଦୃଶ୍ୟମାନ ହେବ । ବୁଧ ଗ୍ରହ ପୂର୍ବରୁ ଦୃଶ୍ୟମାନ ହେଉଥିବା ୬ଟି ଗ୍ରହ ସହିତ ଯୋଡ଼ି ହେବ । ଏହି ବିରଳ ଦୃଶ୍ୟ ୨୦୪୦ ପର୍ଯ୍ୟନ୍ତ ଆଉ ଦୃଶ୍ୟମାନ ହେବ ନାହିଁ ବୋଲି କୁହାଯାଉଛି । ପ୍ଲାନେଟୋରୀ ପରେଡ୍ର ପ୍ରଥମ ଭାଗରେ ୬ଟି ଗ୍ରହ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ ଏବଂ ନେପଚୁନ୍ ଗୋଟିଏ ସରଳରେଖାରେ ରହିଥିଲେ। ଏବେ ସେମାନଙ୍କୁ ଯୋଗଦେବାକୁ ଯାଉଛି ବୁଧ । ଦେଖଣାହାରୀ ଆଜି ସନ୍ଧ୍ୟା ଆକାଶରେ ୬ଟି ପରିବର୍ତ୍ତେ ୭ଟି ଗ୍ରହକୁ ଗୋଟିଏ ରେଖାରେ ଦେଖିପାରିବେ ।
ଧିରେ ଧିରେ ଗୋଟିଏ ଗୋଟିଏ ଗ୍ରହ ପ୍ଲାନେଟୋରୀ ପରେଡ୍ରୁ ଦୂରେଇ ଯିବେ । ରିପୋର୍ଟ ଅନୁସାରେ, ଅଗଷ୍ଟ ୨୦୨୫ରେ ଆଉ ଏକ ପ୍ଲାନେଟୋରୀ ପରେଡ୍ ଦୃଶ୍ୟମାନ ହେବ ଯେଉଁଥିରେ ୪ଟି ଗ୍ରହ ଗୋଟିଏ ସରଳରେଖାରେ ଦିଶିବେ। ଏହି ଦୃଶ୍ୟକୁ ଉତ୍ସାହୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ଦେଖିପାରିବେ । ଅନେକ ଜ୍ୟୋର୍ତିବିଜ୍ଞାନୀଙ୍କ କହିବାନୁସାରେ, ମହାକାଶରେ ସମସ୍ତ ୮ଟି ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥାନ୍ତି, ଯେଉଁଥିରେ ଆମ ଗ୍ରହ ପୃଥିବୀ ସାମିଲ । ସମସ୍ତ ଗ୍ରହ ପରସ୍ପରଠାରୁ ଦୂରରେ, କିନ୍ତୁ ବୃତ୍ତାକାର ପଥରେ ସୂର୍ଯ୍ୟଙ୍କ ପରିକ୍ରମା କରନ୍ତି । ଏହି ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହର ବେଗ ଓ ସମୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । କିନ୍ତୁ ଏପରି ସମୟ ଆସେ ଯେତେବେଳେ ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ୱକୁ ଆସିବା ସହ ପୃଥିବୀରୁ ଏକ ସରଳରେଖାରେ ଦୃଶ୍ୟମାନ ହୁଅନ୍ତି । କିନ୍ତୁ ବାସ୍ତବରେ ଏମାନେ ପରସ୍ପରଠାରୁ ବହୁ ଦୂରରେ ରହିଥାନ୍ତି । ଏମିତି ଅନେକ ଦିନ ଗୋଟିଏ ସରଳରେଖାରେ ପରିକ୍ରମା କରିବା ପରେ ସେମାନେ ପୁଣି ପରସ୍ପରଠାରୁ ଦୂରକୁ ଚାଲିଯାଆନ୍ତି ।