କୋରାପୁଟ ଜିଲ୍ଲାର କୋଟିଆ ସୀମା ବିବାଦ ପୁଣି ଚର୍ଚ୍ଚାକୁ ଆସିଛି । କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବାକୁ ଉଦ୍ୟମ କରୁଛି । ଯାହାକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଥିବା ବେଳେ ଜୟପୁରର ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ନେଇ ଅନୁପ କୁମାର ପାତ୍ର ୨୦୨୬ ଅକ୍ଟୋବର ୨୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଅଭିଯୋଗ କରିଥିଲେ । ଯାହା ଉପରେ ୨୦୨୬ ଅକ୍ଟୋବର ୨୭ ତାରିଖରେ ରାଷ୍ଟ୍ରପତିଙ୍କ ସଚିବାଳୟ ପ୍ରତିକ୍ରିୟା ରଖିଛି ।
ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗକୁ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି । କୋଟିଆ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ମୋଟ ୨୮ଟି ଗ୍ରାମ ମଧ୍ୟରୁ ୨୧ଟିକୁ ନେଇ ସୀମା ବିବାଦ ଲାଗି ରହିଛି । ଆବେଦନ ଉପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ATR) ସିଧାସଳଖ ଆବେଦନକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

