ଭୁବନେଶ୍ୱର: ଭୂତ ହିତାଧିକାରୀ ଖାଉଥିଲେ ରାସନ୍ ଚାଉଳ । ରାଜ୍ୟରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନକାର୍ଡ । ଇ-କେୱାଇସି ସଂଯୋଗୀକରଣ ପରେ ଏମିତି ତଥ୍ୟ ସାମ୍ନାକୁ ଆସିଛି । ଏ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ବିଜେଡି ବିଧାୟକ ଗଣେଶ୍ୱର ବେହେରା ଆଜି ପର୍ଯ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି ସେ ନେଇ ଯୋଗାଣ ବିଭାଗକୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ପିଡିଏସ୍ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ପିଡିଏସ୍ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେଓ୍ୱାଇସି କରାଇଛନ୍ତି ।
କିନ୍ତୁ ଏହି ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କୁ ରାସନ କାର୍ଡ ତଥ୍ୟାବଳୀରେ ଚିହ୍ନଟ କରାଯାଇ ବାଦ୍ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ରାଜ୍ୟରେ ଇ-କେଓ୍ୱାଇସି ଯାଞ୍ଚ ସମୟରେ, ୧୬ ହଜାର ୧୮୪ ଜଣ ଅଯୋଗ୍ୟ ପରିବାର ରାସନ କାର୍ଡ ହାତେଇଥିବା କହିଛନ୍ତି ମନ୍ତ୍ରୀ ।