ଦେଶରେ ଖୁବଶୀଘ୍ର ଚାଲିବ ପଲିମର ନୋଟ୍ । ପାଇଲଟ୍ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନୋଟ୍ ଛପା ଖର୍ଚ୍ଚ କମାଇବାକୁ ଆରବିଆଇର ବଡ଼ ପ୍ଲାନ୍ । ପ୍ରଥମେ ଆସିବ ୧୦ ଓ ୨୦ ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ RBI ଦେଶରେ ପଲିମର ନୋଟ୍ ପ୍ରଚଳନ ପାଇଁ ଏକ ଦଶନ୍ଧି ପୁରୁଣା ପ୍ରସ୍ତାବକୁ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ବିଚାର କରୁଛି ।
ସୂଚନା ଅନୁଯାୟୀ, ପାଟନା ଏବଂ ମୁମ୍ବାଇରେ ଅନୁଷ୍ଠିତ ଆରବିଆଇର ନିକଟତମ ବୋର୍ଡ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି । ସାଧାରଣ ବଜାରରେ ବ୍ୟବହାର ପାଇଁ ଖୁବ୍ ଶୀଘ୍ର ପାଇଲଟ୍ ପ୍ରୋଜେକ୍ଟ ଘୋଷଣା କରାଯାଇପାରେ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ଦେଶର ମୁଦ୍ରା ବ୍ୟବସ୍ଥାରେ ଥିବା ଆହ୍ୱାନଗୁଡ଼ିକର ସମାଧାନ ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ।
ଭାରତରେ କାଗଜ ନୋଟ୍ ଛପାଇବା ଖର୍ଚ୍ଚ ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଆରବିଆଇ ନୋଟ୍ ଛପା ବାବଦରେ ପ୍ରାୟ ୬ ହଜାର ୩୭୨ ଦଶମିକ ୮ କୋଟି ଟଙ୍କା ଖର୍ଚ୍ଚ କରିଛି । ଯାହା ପୂର୍ବ ବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ । ପ୍ରତିବର୍ଷ କୋଟି କୋଟି ମଇଳା ଏବଂ ଚିରା ନୋଟ୍ ବଜାରରୁ ପ୍ରତ୍ୟାହାର କରିବାକୁ ପଡୁଛି, ଯାହା ଆର୍ଥିକ ବୋଝ ବଢ଼ାଉଛି । ଡିଜିଟାଲ୍ ପେମେଣ୍ଟ ବଢ଼ୁଥିଲେ ମଧ୍ୟ ନଗଦ ଟଙ୍କାର ଚାହିଦା କମିନାହିଁ । ଭାରତର ଆଦ୍ର ଓ ଗ୍ରୀଷ୍ମମଣ୍ଡଳୀୟ ପାଣିପାଗ ଯୋଗୁଁ କମ ମୂଲ୍ୟର ନୋଟ୍ ଅତି ଶୀଘ୍ର ନଷ୍ଟ ହୋଇଯାଏ । ଏହାର ସମାଧାନ ହେଉଛି ପଲିମର ନୋଟ୍ । ଏହା ସାଧାରଣ କାଗଜ ନୋଟ୍ ତୁଳନାରେ ୨.୫ ରୁ ୪ ଗୁଣ ଅଧିକ ସମୟ ତିଷ୍ଠିଥାଏ । ଟ୍ରାନ୍ସପରେଣ୍ଟ ଉଇଣ୍ଡୋ ଏବଂ ହୋଲୋଗ୍ରାମ ଭଳି ଅତ୍ୟାଧୁନିକ ସୁରକ୍ଷା ଫିଚର୍ସ ରହିବ । ଯାହାଦ୍ୱାରା ଜାଲ୍ ନୋଟ୍ ପ୍ରସ୍ତୁତ ଅସମ୍ଭବ ହୋଇପଡ଼ିବ । ଏକ ସୀମିତ ଅଞ୍ଚଳରେ ଏହାର ଟ୍ରାଏଲ୍ କରାଯାଇ ଏଟିଏମ୍ ଏବଂ ଭେଣ୍ଡିଂ ମେସିନ ସହ ଏହାର ସାମଞ୍ଜସ୍ୟ ପରଖାଯିବ । ଏହି ପାଇଲଟ୍ ପ୍ରୋଜେକ୍ଟର ସଫଳତା ପରେ ଯାଇ ସାରା ଦେଶରେ କାଗଜ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେବ ।
ପୂର୍ବରୁ ୨୦୧୨ ମସିହାରେ ଆରବିଆଇ ଦେଶର କିଛି ସହରରେ ୧୦ ଟଙ୍କିଆ ପଲିମର ନୋଟ୍ ର ପରୀକ୍ଷଣ କରିଥିଲା । କିନ୍ତୁ ସେତେବେଳେ ଏଟିଏମ୍ ମେସିନ୍ ଅନୁକୂଳ ନହେବା ଭଳି କେତେକ ବୈଷୟିକ ସମସ୍ୟା ଯୋଗୁଁ ଏହା ଆଗକୁ ବଢ଼ିପାରିନଥିଲା । ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟାର ବିକାଶ ଯୋଗୁଁ ଏହା ସହଜ ହୋଇପାରିଛି । ବିଶ୍ୱର ପ୍ରାୟ ୬୦ ରୁ ଅଧିକ ଦେଶ, ଯେପରିକି ଅଷ୍ଟ୍ରେଲିଆ, ବ୍ରିଟେନ୍ ଏବଂ କାନାଡ଼ା ପଲିମର ନୋଟର ସଫଳ ବ୍ୟବହାର କରୁଛନ୍ତି। ନୋଟ୍ ଛପା ଏବଂ ବଦଳାଇବା ଖର୍ଚ୍ଚରେ ବହୁତ ବଡ଼ ପରିମାଣର ଆର୍ଥିକ ସଞ୍ଚୟ ହେବ ।
