ମାତ୍ର ୭ ଟଙ୍କାର ଲଟେରୀ ଟିକେଟ୍ କିଣି ରାତାରାତି କୋଟିପତି ହୋଇଛନ୍ତି ଜଣେ ମହିଳା । ପଞ୍ଜାବର ଫରିଦକୋଟ ଜିଲ୍ଲାର କୋଟକପୁରାରେ ରହୁଥିବା ବିମଳା ଦେବୀ ନାମକ ଜଣେ ମହିଳାଙ୍କୁ ଲଟେରୀରେ ମିଳିଛି ୧ କୋଟି ଟଙ୍କାର ପୁରସ୍କାର । ସିକ୍କିମ ସରକାରଙ୍କ ଲଟେରୀରେ ଏହି ପୁରସ୍କାର ମିଳିଥିବା ଜଣାପଡ଼ିଛି ।
ଖବର ମୁତାବକ, ବିମଳା ଦେବୀଙ୍କ ସ୍ୱାମୀ ଜଣେ ଶ୍ରମିକ ଭାବେ କାମ କରନ୍ତି । ଦିନେ ସନ୍ଧ୍ୟା ସମୟରେ ବିମଳା ଦେବୀ କୋଟକପୁରାର ରେଳ ରୋଡକୁ କିଛି ସାମଗ୍ରୀ କିଣିବାକୁ ଯାଇଥିଲେ । ଏହି ସମୟରେ ଲଟେରୀ ଟିକେଟ୍ କିଣିବାକୁ ଇଚ୍ଛା ହୋଇଥିଲା । ଏହାପରେ ସେ ରେଳ ଷ୍ଟେସନ ନିକଟରେ ଥିବା ଷ୍ଟାର ଲଟେରୀ ଷ୍ଟଲରୁ ମାତ୍ର ୭ ଟଙ୍କା ଦେଇ ଏକ ଟିକେଟ୍ କିଣିଥିଲେ । ପରଦିନ ସନ୍ଧ୍ୟାରେ ଲଟେରୀ ଫଳାଫଳ ପ୍ରକାଶ ପାଇବା ପରେ ତାଙ୍କ ଟିକେଟରେ ୧ କୋଟି ଟଙ୍କାର ପୁରସ୍କାର ପାଇଥିବା ଜାଣିବାକୁ ପାଇଥିଲେ । ଏହି ଖବର ଶୁଣିବା ପରେ ପରିବାର ସଦସ୍ୟ ଖୁସି ହୋଇଯାଇଥିଲେ ।
ନରେଶ ମୋଙ୍ଗାଙ୍କ କହିବା ଅନୁଯାୟୀ, ତାଙ୍କ ଦୋକାନରୁ ପୂର୍ବରୁ ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଏହି ଷ୍ଟଲରୁ ବିକ୍ରି ହୋଇଥିବା ଟିକେଟରେ ୧ କୋଟି ଟଙ୍କାର ପୁରସ୍କାର ଲାଗିଛି ।
୧ କୋଟି ଟଙ୍କାର ପୁରସ୍କାର ଜିତିବା ପରେ ବିମଳା ଦେବୀ କହିଛନ୍ତି ଯେ, ଏହି ଟଙ୍କା ତାଙ୍କ ପରିବାରର ଆର୍ଥିକ ସମସ୍ୟା ଦୂର କରିବାରେ ସହାୟକ ହେବ । ଏହାସହିତ ନିଜ ପିଲାମାନଙ୍କୁ ଭଲ ଲାଳନପାଳନ କରିବା ସହ ସେମାନଙ୍କ ଭବିଷ୍ୟତ ଗଢିବାରେ ସହାୟକ ହେବ ।
ମାତ୍ର ୭ ଟଙ୍କାର ଟିକେଟ୍ ବିମଳା ଦେବୀଙ୍କ ପରିବାର ପାଇଁ ନୂଆ ଆଶା ଆଣିଦେଇଛି । ଆର୍ଥିକ ସଂଘର୍ଷ ମଧ୍ୟରେ ଜୀବନ ବିତାଉଥିବା ଏହି ପରିବାର ଏବେ ପିଲାମାନଙ୍କ ଭବିଷ୍ୟତକୁ ନେଇ ନୂଆ ସ୍ୱପ୍ନ ଦେଖିବା ଆରମ୍ଭ କରିଛି ।

