BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ । ଚୀନ୍ ରାଷ୍ଟ୍ରପତିଙ୍କ ସହ ଆସିଛନ୍ତି ଦେଶର ଶୀର୍ଷ କୂଟନୀତିଜ୍ଞ ଓ ବରିଷ୍ଠ ନେତା । ଦିଲ୍ଲୀରେ ପହଞ୍ଚିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତ ମାଟିରେ ପାଦ ରଖୁଛନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ । ତାଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଭାରତ ଗସ୍ତର ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସି ଜିନପିଙ୍ଗଙ୍କ ସହ ଚୀନର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଦିଲ୍ଲୀ ଆସିଛି ।
ଚୀନର ସରକାରୀ ସମ୍ବାଦ ସଂସ୍ଥା ସିନ୍ ହୁଆ ଅନୁସାରେ, ପ୍ରତିନିଧିମଣ୍ଡଳରେ କାଇ କି ଓ ୱାଙ୍ଗ ୟିଙ୍କ ଭଳି ପ୍ରଭାବଶାଳୀ ନେତା ରହିଛନ୍ତି । କାଇ କି ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଏବଂ CPC କେନ୍ଦ୍ରୀୟ କମିଟିର ଜେନେରାଲ୍ ଅଫିସର ନିର୍ଦ୍ଦେଶକ । ସେହିପରି ୱାଙ୍ଗ ୟି CPC ପଲିଟବ୍ୟୁରୋର ସଦସ୍ୟ ହେବା ସହ ଚୀନ୍ ର ବୈଦେଶିକ ମନ୍ତ୍ରୀ । ସି ଜିନପିଙ୍ଗଙ୍କ ଏହି ଦିଲ୍ଲୀ ଗସ୍ତ ଉପରେ ଏବେ ବିଶ୍ୱ କୂଟନୀତିର ନଜର । ବିଶେଷକରି ଭାରତ-ଚୀନ୍ ସମ୍ପର୍କ, ଦ୍ୱିପାକ୍ଷିକ ସହଯୋଗ ଓ ଦୁଇ ଦେଶର ଶୀର୍ଷ ନେତୃତ୍ୱ ମଧ୍ୟରେ ହେବାକୁ ଥିବା ଆଲୋଚନାକୁ ନେଇ ଉତ୍କଣ୍ଠା ବଢ଼ିଛି ।
ଗତ କିଛି ବର୍ଷ ଧରି ସୀମା ବିବାଦ ଓ ଗଲୱାନ୍ ଘଟଣାକୁ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ରହିଥିଲା । ୨୦୨୦ର ଗଲୱାନ୍ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ଦୂରତା ବଢ଼ିଥିଲା । କିନ୍ତୁ ୨୦୨୪ ପରେ ସମ୍ପର୍କରେ ଧୀରେ ଧୀରେ ସୁଧାର ଆସିବା ଆରମ୍ଭ ହୋଇଛି । ଏହି ମୋଦି-ଜିନପିଙ୍ଗ୍ ଦ୍ୱିପାକ୍ଷିକ ବୈଠକରେ ସୀମା ସମସ୍ୟା ସହିତ ବାଣିଜ୍ୟ, ବଜାର ପ୍ରବେଶ, ଭିସା, ନିବେଶ ଏବଂ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ଭଳି ପ୍ରସଙ୍ଗ ଆଲୋଚନାକୁ ଆସିପାରେ ।
ଭାରତ ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବଡବଡ ନେତା ସାମିଲ ହେଉଛିନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଆସିଛନ୍ତି ।

