୧୦ ବର୍ଷ ପରେ ବାପାମାଆଙ୍କୁ ମିଳିଲେ ହଜିଯାଇଥିବା ପୁଅ-ଝିଅ । ରାଜ୍ୟ ବାହାରେ ଦାଦନ ପାଇଁ ଯାଇ ଉଜୁଡ଼ି ଯାଇଥିଲା ସୁନାର ସଂସାର । ତାମିଲନାଡ଼ୁର ତ୍ରିପୁର ଠାରେ ନିଖୋଜ ହୋଇଯାଇଥିଲେ ଦୁଇ ଛୁଆ । ୧୦ ବର୍ଷ ପରେ ହଜିଯାଇଥିବା ପୁଅ ଓ ଝିଅ ଫେରିଆସିବା ପରେ ଖୁସିରେ ଭିଜିଲା ବାପା ମାଆଙ୍କ ଆଖି । ତାମିଲନାଡ଼ୁରୁ ଛାଡ଼ିବାକୁ ଆସିଥିବା ଅଧିକାରୀ ମଧ୍ୟ ଦୁଇ ଛୁଆଙ୍କୁ ବିଦାୟ ଦେବାବେଳେ ହୋଇଯାଇଥିଲେ ଭାବବିହ୍ୱଳ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜାମୁଗୁଡା ଗାଁରେ ଖେଳିଯାଇଛି ଖୁସିର ଲହରୀ ।
ଗାଁର ହଜିଯାଇଥିବା ପୁଅ ଓ ଝିଅ ଫେରିବା ପରେ ବାପା ଡାଲିଆ କୁଲେସିକା ଓ ମାଆ ତୁଳସୀ କୁଲେସିକାଙ୍କ ଖୁସି କହିଲେ ନ ସରେ । ସନ୍ତାନଙ୍କୁ ଦେଖି ବାପା-ମାଆଙ୍କ ଆଖିରୁ ଝରିଥିଲା ଖୁସିର ଲୁହ। ୨୦୧୫ରେ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିବା ତୁଳସୀ ଓ ଡାଲିଆ କୁଲେସିକା ଉଭୟ ସ୍ଵାମୀ ଓ ସ୍ତ୍ରୀ ଦୁଇ ପିଲାଙ୍କୁ ହଜାଇ ଦେଇଥିଲେ। ଭାଷାଗତ ସମସ୍ୟା ଥିବାରୁ କିଛିଦିନ ଖୋଜାଖୋଜି ପରେ ଖାଲି ହାତରେ ଘରକୁ ଫେରିଥିଲେ ସ୍ଵାମୀ ଓ ସ୍ତ୍ରୀ। ଏନେଇ ସ୍ଥାନୀୟ ବନ୍ଧୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ଦୁଇ ଛୁଆର ଫେରିବା ବାଟକୁ ଚାହିଁ ବସିଥିଲେ।

