ଆଜି ଓ ଆସନ୍ତା କାଲି ସନ୍ଧ୍ୟାରେ ଆକାଶରେ ଚମକିବେ ବୃହସ୍ପତି ଓ ଶୁକ୍ର। ଯାହାକୁ ଖାଲି ଆଖିରେ ଦେଖିବେ ଲୋକେ। ଏଭଳି ସଂଯୋଗ ୨ବର୍ଷକୁ ଥରେ ଦୃଶ୍ୟମାନ ହେଉଥିବା ବେଳେ ଜ୍ୟୋତିର୍ବିଦମାନେ ଏହାକୁ “ଗ୍ରହ ସଂଯୋଗ” ବା ପ୍ଲାନେଟାରି କଞ୍ଜଙ୍କସନ୍ କହୁଛନ୍ତି।
ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ଚମକିବେ ବୃହସ୍ପତି ଓ ଶୁକ୍ର।ପଶ୍ଚିମ ଦିଗବଳୟ ମେଘମୁକ୍ତ ଥିଲେ ଖାଲି ଆଖିରେ ସନ୍ଧ୍ୟା ୭ରୁ ରାତି ୮ ମଧ୍ୟରେ ଦେଖିପାରିବେ ଓଡ଼ିଶାର ଲୋକ ।ଆସନ୍ତା ଏକ ମାସ ଧରି ସନ୍ଧ୍ୟା ସମୟରେ ଏହି ଦୃଶ୍ୟ ଉପଭୋଗ କରିହେବାକୁ ଥିବା ବେଳେ ଜ୍ୟୋତିର୍ବିଦମାନେ ଏହାକୁ ଏକ ଗ୍ରହ ସଂଯୋଗ ବୋଲି କହୁଛନ୍ତି।ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ପ୍ରଥମେ ଶୁକ୍ର ଦୃଶ୍ୟମାନ ହେବ। କିଛି ସମୟ ପରେ ଅପେକ୍ଷାକୃତ ସାମାନ୍ୟ କମ୍ ଉଜ୍ଜ୍ବଳ ବୃହସ୍ପତି, ଶୁକ୍ର ଗ୍ରହର ସାମାନ୍ୟ ତଳକୁ ଦେଖାଯିବ। ଦିନକୁ ଦିନ ଗ୍ରହ ଦୁଇଟି ପରସ୍ପରର ନିକଟତର ହେବେ।
ଆଜି ଓ ଆସନ୍ତା କାଲି ରାତିରେ ପୂରା ପାଖାପାଖି ଦେଖାଯିବେ। ତା’ପରେ ଶୁକ୍ର ଗ୍ରହ ଉପରକୁ ଉପରକୁ ଉଠି ବୃହସ୍ପତିଠାରୁ ଦୂରରେ ଦେଖାଯିବ। ଗ୍ରହ ଦୁଇଟି ମହାକାଶରେ ପରସ୍ପର ନିକଟରେ ଦେଖାଗଲେ ମଧ୍ୟ ସେମାନେ ଆମଠାରୁ ସମାନ ଦୂରତାରେ ନାହାନ୍ତି। ଶୁକ୍ର ସୂର୍ଯ୍ୟଠାରୁ ପ୍ରାୟ ୧୧ କୋଟି କିଲୋମିଟର ଦୂରରେ ଥିଲା ବେଳେ ବୃହସ୍ପତି ପ୍ରାୟ ୭୮ କୋଟି କିମି ଦୂରରେ ସୂର୍ଯ୍ୟ ପରିକ୍ରମା କରେ। ଏପରି ଦେଖାଯିବାର କାରଣ ଏବେ ପୃଥିବୀ, ଶୁକ୍ର ଓ ବୃହସ୍ପତି ପ୍ରାୟ ଏକ ସରଳରେଖାରେ ରହିଛନ୍ତି। ଏଥିସହ ଶୁକ୍ର ଗ୍ରହ ପଛରେ ବୃହସ୍ପତି ରହିଛି ବୋଲି ଜନବିଜ୍ଞାନୀ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
ଅନ୍ୟପଟେ କେବଳ ବିଜ୍ଞାନ ନୁହଁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ଏକ ସ୍ୱତନ୍ତ୍ରତା ରହିଛି । ଏମିତି ବିରଳ ଦୃଶ୍ୟ ଘଟିବାକୁ ବହୁ ବର୍ଷ ଲାଗିଥାଏ । ଆଉ ଶୁକ୍ର ଓ ବୃହସ୍ପତି ଗ୍ରହ ଏକାଠି ହେବା ଏକ ଶୁଭଙ୍କର ଘଟଣା ବୋଲି ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ଅଛି । ଯାହା ଦ୍ୱାରା ଲୋକଙ୍କ ଜୀବନରେ ବହୁ ଭଲ ପ୍ରଭାବ ପଡ଼ିବାକୁ ଯାଉଛି । ଚାକୀରି, ବ୍ୟବସାୟ, ସେୟାର ମାର୍କେଟ , ଆର୍ଥିକ କ୍ଷେତ୍ରରେ ଏହି ସଂଯୋଗ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ । ଏହାକୁ ଦେଖିବା ମଧ୍ୟ ଭଲ ବୋଲି କହିଛନ୍ତି ଜ୍ୟୋତିର୍ବିଦ ପ୍ରମୋଦ କୁମାର ପାତ୍ର
ବିଗତ ଦିନରେ ଶୁକ୍ର-ବୃହସ୍ପତି ସଂଯୋଗ ୨୦୨୩ ମାର୍ଚ୍ଚ ୧ରେ ହୋଇଥିବା ବେଳେ ପରବର୍ତ୍ତୀ ସଂଯୋଗ ୨୦୨୭ ଅଗଷ୍ଟ୨୬ ସନ୍ଧ୍ୟାରେ ଦେଖାଯିବ। ଆଜି ସନ୍ଧ୍ୟାରେ ପଶ୍ଚିମ ଆକାଶକୁ ନଜର ପକାନ୍ତୁ ଏବଂ ଉପଭୋଗ କରନ୍ତୁ ଏହି ବିରଳ ଦୃଶ୍ୟ।
