ଚଳିତ ଆଇପିଏଲ୍ର ୩୯ତମ ଲିଗ୍ ମୁକାବିଲାରେ ସୋମବାର ଦିଲ୍ଲୀ ଓ ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ ସାମ୍ନାସାମ୍ନି ହେବେ । କ୍ରମାନ୍ୱୟରେ ୨ଟି ମ୍ୟାଚ୍ ପରାଜିତ ହୋଇଥିବା ଦିଲ୍ଲୀ ଘରୋଇ ଗ୍ରାଉଣ୍ଡରେ ବିଜୟକୁ ଫେରିବା ପାଇଁ ବ୍ୟାକୁଳ ରହିଛି । ଅନ୍ୟ ପଟରେ ବେଙ୍ଗାଲୁରୁ ଦଳ ଦିଲ୍ଲୀ ଠାରୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଫଳରେ ମ୍ୟାଚ୍ଟି କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଗତ ୧୮ ତାରିଖରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ । ଦିଲ୍ଲୀ ଏହି ମ୍ୟାଚ୍ରେ ବେଙ୍ଗାଲୁରୁକୁ ତା’ ଘରୋଇ ଗ୍ରାଉଣ୍ଡରେ ୬ ୱିକେଟ୍ରେ ପରାସ୍ତ କରିଥିଲା । କେଏଲ୍ ରାହୁଲ ୫୭ ଓ ଟ୍ରିଷ୍ଟନ ଷ୍ଟବ୍ସ ଅପରାଜିତ ୬୦ ରନ୍ କରି ଦଳକୁ ଜିତାଇ ଥିଲେ । ଚଳିତ ସିଜନରେ ବେଙ୍ଗାଲୁରୁ ୭ଟି ମ୍ୟାଚ୍ ଖେଳି ୧୦ପଏଣ୍ଟ ସହ ତାଲିକାରେ ଦ୍ୱିତୀୟ ଏବଂ ଦିଲ୍ଲୀ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୬ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି ।
ବେଙ୍ଗାଲୁରୁର ଷ୍ଟାର୍ ବ୍ୟାଟର ବିରାଟ କୋହଲି ଓ ଦିଲ୍ଲୀର କେଏଲ୍ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ରାହୁଲ ବେଙ୍ଗାଲୁରୁ ବିପକ୍ଷରେ ୬୯.୯୧ ଆଭରେଜରେ ମୋଟ ୭୮୬ରନ୍ ସଂଗ୍ରହ କରି ସାରିଛନ୍ତି । ଗତ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ସେ ୬୭ବଲ୍ରେ ୧୫୨ ରନ୍ର ଧୂଆଁଧାର ଇନିଂସ୍ ଖେଳିଥିଲେ । ମାତ୍ର ଦିଲ୍ଲୀ ଏହି ମ୍ୟାଚ୍ରେ ପରାଜିତ ହୋଇଥିଲା । ଅନ୍ୟ ପଟରେ କୋହଲି ୭ଟି ମ୍ୟାଚ୍ ଖେଳି ୩୨୮ (୩ ଅର୍ଦ୍ଧଶତକ) ରନ୍ ସଂଗ୍ରହ କରି ସାରିଛନ୍ତି । ଆସନ୍ତାକାଲି ବେଙ୍ଗାଲୁରୁର ଫିଲ୍ ସଲ୍ଟ ଏବଂ ଦିଲ୍ଲୀର ଲୁଙ୍ଗି ଏନ୍ଗିଡ଼ି ଖେଳିବେ ନାହିଁ । ଉଭୟ ଆହତ ଅଛନ୍ତି । ଅରୁଣ ଜେଟଲୀ ଷ୍ଟାଡିୟମର ନଂ-୫ ପିଚ୍ରେ ଆସନ୍ତାକାଲି ମ୍ୟାଚ୍ ଖେଳାଯିବ । ଏହି ପିଚ୍ରେ ଖେଳାଯାଇଥିବା ପୂର୍ବ ମ୍ୟାଚ୍ରେ ଗୁଜରାଟ ୨୧୦ରନ୍ ସଂଗ୍ରହ କରିଥିଲା ଏବଂ ଦିଲ୍ଲୀ ୨୦୯ରନ୍ କରିବା ସହ ୧ରନ୍ରେ ପରାଜିତ ହୋଇଥିଲା । ପିଚ୍ ବ୍ୟାଟରଙ୍କ ପାଇଁ ଅନୁକୂଳ । ତେଣୁ ଏଠାରେ ବଡ଼ ସ୍କୋର ହେବା ଆଶା କରାଯାଉଛି ।

